Site icon Odisha.com

କୃଷି ରସାୟନ କାରଖାନାରେ ଗ୍ୟାସ୍ ଲିକ୍, ୬୧ ଅସୁସ୍ଥ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ବାଲେଶ୍ୱର, ଜାନୁୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲାରେ ଥିବା କୃଷି ରସାୟନ
କାରଖାନାରରେ ଗ୍ୟାସ୍ ଲିକ୍ ଯୋଗୁଁ ୬୧ ଜଣ ଲୋକ ଅସୁସ୍ଥ ହୋଇଥିବା ପୋଲିସ ରବିବାର କହିଛି ।

ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ସ୍ଥିତ ଏହି କାରଖାନାରେ ଶନିବାର ରାତିରେ ରାସାୟାନିକ ପଦାର୍ଥ ତିଆରି ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ଏକ ପାଇପ୍କୁ ଗ୍ୟାସ୍ ଲିକ୍ ହୋଇଥିଲା ।

ଫଳରେ ଏହାର ପ୍ରଭାବରେ ଆଖପାଖ ଅଂଚଳର ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ
ଅନୁଭବ କରିବା ସହ ବାନ୍ତି କରିଥିଲେ । ଅସୁସ୍ଥ ମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଚରମ୍ପା ନିବାସୀ ଆଲୋକ ସିଙ୍ଘାଣିଆ ନାମକ ବ୍ୟବସାୟୀ ପ୍ରଥମେ ପାଂଚ ନମ୍ବର ଜାତୀୟ ରାଜପଥର ମଇତାପୁର ନିକଟରେ କୃଷିରସାୟନ କେନ୍ଦ୍ରକୁ ପ୍ରତିଷ୍ଠାକରି କେବଳ ଗ୍ୟାମାକ୍ସିନ ପ୍ରସ୍ତୁତ କରିଆସୁଥିଲେ ।

ପରବର୍ତୀ ସମୟରେ ସେ ଅନ୍ୟ କେତେକ କୃଷି ପାଇଁ ବ୍ୟବହୃତ କୀଟନାଶକ ପ୍ରସ୍ତୁତ କରୁଥିବା ବେଳେ
ଗତ ଦୁଇ ବର୍ଷତଳେ ଅଭାବନୀୟ ପରିସ୍ଥିତି ଘଟିଥିଲା । ଉକ୍ତ କାରଖାନାରୁ ନିର୍ଗତ ବିଷାକ୍ତ ଜଳ ଓ ଗ୍ୟାସ ଦ୍ୱାରାସ୍ଥାନୀୟ ଅଂଚଳର ବହୁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ବିଭିନ୍ନ ଗଛର ପତ୍ର ଗୁଡ଼ିକ ପୋଡ଼ିଯିବା ଭଳି ଦେଖାଯାଇଥିଲା ।

ଫଳରେଦୁଇବର୍ଷ ତଳେ ମୁଲଣ, ମଇତାପୁର ଓ ଭଦ୍ରକ ଜିଲାର ଜଗଳପୁର, ରମ୍ଭିଳା ଓ ରାହାଞ୍ଜ
ପ୍ରଭୃତି ପଂଚାୟତର ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନାବାନ୍ଧି ଭୟଙ୍କର ରୂପ ନେଇଥିଲା ।

ଫଳରେ ବାଧ୍ୟ ହୋଇ ସଂପୃକ୍ତ ମାଲିକ ପୁରୁଣା କାରଖାନାକୁ ବନ୍ଦ କରି ତା ନିକଟରେ ଅନ୍ୟ ଏକ ନୂଆ କାରଖାନା ବସାଇଥିଲେ ।

ମାତ୍ର ଏଥିସହ ନୂଆ କାରଖାନାରେ ଗ୍ୟାମାକ୍ସିନ ସହ ଅନ୍ୟ କୀଟନାଶକ ଔଷଧ ପ୍ରସ୍ତୁତ କରୁଥିଲେ ।
ଯାହାର କୁପରିଣାମ କାଲି ଘଟିଥିଲା । ଗତକାଲି ସଂଧ୍ୟାରେ ହଠାତ୍ କାରଖାନା ମଧ୍ୟରେ ଥିବା ଏକ
ଟାଙ୍କରୁି ବିିଷାକ୍ତ ଗ୍ୟାସ ସମଗ୍ର ଅଂଚଳକୁ ବ୍ୟାପୀଥିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ସକାଳୁ ସ୍ଥାନୀୟ ଅଂଚଳର ଲୋକମାନେ ବାନ୍ତି କରିବା ଖବର ପାଇ ବାଲେଶ୍ୱର ଅତିରିକ୍ତ ଜିଲାପାଳ
ରସି ଖାନ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version