Site icon Odisha.com

ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ବିଡ଼ି ଶ୍ରମିକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସୋର, ଜାନୁୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ସୋର ପୌର ପରିଷର ଅନ୍ତର୍ଗତ କେତେକ ଗ୍ରାମର ବିଡ଼ି ଶ୍ରମିକମାନେ ସରକାରଙ୍କ ଦ୍ୱାରାକାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ବଂଚିତ ହେଉଛନ୍ତି ।

ପାରମହଲା, ପଠାଣମହଲା, କାଶୀପୁର, ଖପରାନାଳ, ଛତ୍ରପୁର, କାଜିମହଲା, ହାଡ଼ିମହଲା, ଇଟୁଆ
ପ୍ରଭୃତି ଗ୍ରାମରେ ପ୍ରାୟ ପଂଚ ଶହରୁ ଉଦ୍ଧ୍ୱର୍ ଲୋକ ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।

ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାର
ସୁଫଳ ସେମାନଙ୍କ ନିକଟରେ ପହଂଚିପାରୁ ନାହିଁ । ଫଳରେ ଶ୍ରମିକମାନେ ବିଭିନ୍ନ ସମସ୍ୟା ମଧ୍ୟରେ
ଜୀବନ ବିତାଉଛନ୍ତି ।

ଏକ ହଜାର ବିଡ଼ି ପ୍ରସ୍ତୁତ କଲେ ଏମାନେ ପାରିଶ୍ରମିକ ବାବଦକୁ ମାତ୍ର ତିରିଶ ଟଙ୍କା ପାଇଥାନ୍ତି । ଜଣେ ଶ୍ରମିକ ଗୋଟିଏଦିନରେ ସର୍ବାଧିକ ଏକ ହଜାର ବିଡ଼ିରୁ ଅଧିକ ତିଆରି କରିପାରନ୍ତି ନାହିଁ ।

ତେଣୁ ଜଣେ ଶ୍ରମିକଦିନସାରା ମାତ୍ର ତିରିଶ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥାଏ । କାରଣ ପ୍ରଥମେ କେନ୍ଦୁପତ୍ରକୁ ବିଡ଼ି ଆକାରରେ କାଟିବା ପରେ ସେଥିରେ ତମାଖୁ ଦେଇ ମୋଡ଼ି ସୂତାରେ ବାନ୍ଧି ବଣ୍ଡଲ କରାଯାଏ ।

ପ୍ରତି ବଣ୍ଡଲରେ ୨୫ଟି ବିଡ଼ି ରହିଥାଏ । ତମାଖୁରେ କାମ କରୁଥିବାରୁ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହୋଇଥିବାରୁ ସେମାନଙ୍କୁ ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇବାର ନିୟମ ରହିଛି । ତେବେ ଏହି ଶ୍ରମିକମାନେ ସ୍ୱାସ୍ଥ୍ୟସେବା ପାଇବାରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି କାର୍ଡ଼ ।

୧୯୯୮ରେ ବିଡ଼ି ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଲେବର
ୱେଲଫୟାର ଅର୍ଗାନାଇଜେସନ, ଭୁବନେଶ୍ୱର ରିଜନ, ଓଡ଼ିଶା ଦ୍ୱାରାିଆଯାଇଥିବା ପରିଚୟପତ୍ର ନବୀକରଣ କରାଯାଇନାହିଁ କିମ୍ବା ନୂତନ କାର୍ଡ଼ ପ୍ରଦାନ କରାଯାଇନାହିଁ ।

ତେଣୁ ନୂଆ ଏବଂ ପୁରୁଣା କାର୍ଡ଼ଧାରୀ ଉଭୟେ ଏହି ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି । କାର୍ଡ଼ ନବୀକରଣ ଏବଂ ନୂଆକାର୍ଡ଼ କରାଇ ଦେବାର ପ୍ରତିଶୃତି ଦେଇ ବିଭିନ୍ନ ଲୋକ ଶ୍ରମିକ ମାନଙ୍କ ଠାରୁ ଜଣ ପିଛା ୨୫୦ରୁ ୩୦୦ଟଙ୍କା ନେଇଯିବା ପରେ ସେମାନଙ୍କର ଦେଖା ମିଳିନଥାଏ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

ବୁଡ଼ିଗଲା ଲୋକ କୁଟାଖିଅକୁ ଭରଷା କଲାଭଳି ଗରିବ ଶ୍ରମିକ ମାନେ କାର୍ଡ଼ଖଣ୍ଡିଏ ପାଇବା ଆଶାରେ ଠକ ଲାଲ୍ ମାନଙ୍କ ଶିକାର ହେଉଛନ୍ତି । ତେବେ ସେମାନେ କାହାକୁ କିଛି କହିନପାରି ଚୁପ୍ ରହିଥାନ୍ତି ।

ଏହା ବ୍ୟତୀତ ଗରିବ ଶ୍ରମିକ ମାନଙ୍କ ପାଇଁ କୌଣସି ବୀମା ଯୋଜନା କିମ୍ବା ଋଣର ସୁବିଧା ଯୋଗାଇ ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version