Site icon Odisha.com

ଛାତ୍ରୀ ମୃତ୍ୟୁ ନେଇ ଏସପିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବୁଧବାର ଛାତ୍ରଛାତ୍ରୀମାନେ ସହରରେ ଶୋଭାଯାତ୍ରା କରିବା ସହ ଏସ୍ପିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।

ସଂପୃକ୍ତ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରି ଛାତ୍ରଛାତ୍ରୀମାନେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରି ଝରକା କାଚ ଭଙ୍ଗାରୁଜା କରିଥିଲେ ।

ଏହାପରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟଧରି ୫ନମ୍ବର ଜାତୀୟ ରାଜପଥରେ ଟାୟାର
ଜାଳି ଓ ବଡବଡ଼ ପଥର ପକାଇ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା ।

ଜିଲା ଆରକ୍ଷୀ ଅଧିକ୍ଷକ ଚିନ୍ତାମଣି ପଣ୍ଡା ଘଟଣାସ୍ଥଳରେ ପହଂଚି ଛାତ୍ର-ଛାତ୍ରୀ ମାନଙ୍କ ପକ୍ଷରୁ କରାଯାଇଥିବା ଦାବୀପୂରଣ କରାଯିବା ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ବନ୍ତ ବ୍ଲକ ଆରପଡ଼ା ଥାନା ଅର୍ନ୍ତଗତ କାବରଙ୍ଗ ଅଂଚଳର ରାଣିପୁର ଗ୍ରାମର ଗଣେଶ ପଲାଇଙ୍କ କନ୍ୟା ସସ୍ମିତା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ର ଛାତ୍ରୀ ଥିଲେ ।

ତେବେ ମାତ୍ର ମଙ୍ଗଳବାର ତାଙ୍କ ଭାଇ ଓ ଭଉଣୀ ଘରକୁ ଯଥାସମୟରେ ଫେରିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ସସ୍ମିତା ଘରକୁ ନଫେରିବାରୁ ପରିବାର ଲୋକେ ତାର ସାଙ୍ଗ ମାନଙ୍କୁ ପଚରାଉଚରା କରିଥିଲେ ।

ପରେ ଆଗରପଡ଼ା ଥାନାରୁ ସସ୍ମିତା ଘରକୁ ଏକ ଫୋନ ଆସିଥିଲା ଏବଂ ତାଙ୍କ ଝିଅ ବିଷ ଖାଇ
ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛି ବୋଲି ଥାନା ପକ୍ଷରୁ କୁହାଯାଇଥିଲା ।

ଏହି ଘଟଣାକୁ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ସସ୍ମିତାକୁ ବଳାତ୍କାର ପରେ ହତ୍ୟା
କରାଯାଇଥିବା ଅଭିଯୋଗ କରି ଥାନାରେ ଏତଲା ଦିଆଯାଇଥିଲା ।

ଜିଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଏକ ଦଳ ସେହି ରାତିରେ ଘଟଣାସ୍ଥଳରେ ପହଂଚି ତଦନ୍ତ
ଆରମ୍ଭ କରି ସବୁଦିନ ସସ୍ମିତା ଆସୁଥିବା ବସ୍ ର କଣ୍ଡକ୍ଟର ଏବଂ ଡ଼୍ରାଇଭରଙ୍କୁ ଗାଡ଼ି ସହ ଅଟକ ରଖି ଜେରା କରିଥିଲେ ।

ବସ୍ ରେ ସସ୍ମିତା ଫେରିବା ରାସ୍ତାରେ ଘର ଛକରେ ନ ଓହ୍ଲାଇ ବଉଳା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ
ଗାଡ଼ି ଚାଳକ ଓ କଣ୍ଡକ୍ଟର ତାକୁ ବିଷପାନ ଅବସ୍ଥାରେ ଦେଖି ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ ।

ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଆଗରପଡ଼ା ଆଣିବା ରାସ୍ତାରେ ବୈଦ୍ୟନାଥପୁର ଛକରେ ଦୁଇ ଜଣ ଯୁବକଙ୍କୁ ଦେଖି ତାଙ୍କ ମୋଟର ସାଇକେଲରେ ଶୀଘ୍ର ପହଂଚିବା ପାଇଁ ଆଗରପଡ଼ା ଡ଼ାକ୍ତରଖାନା ପଠାଇଥିଲେ ।

ପରବର୍ତୀ ସମୟରେ ସଂପୃକ୍ତ ଦୁଇ ଯୁବକ ସସ୍ମିତାକୁ ପ୍ରଥମେ ସୋସୋ ଓ ପରେ ଆଗରପଡ଼ା
ଡ଼ାକ୍ତରଖାନାରେ ଛାଡ଼ି ପଳାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version