Site icon Odisha.com

ଗଣବଳାତ୍କାର: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତା ଅବରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାର ଅଭିଯୁକ୍ତଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସଂପର୍କ ଥିବା ଅଭିଯୋଗରେ ତାଙ୍କର ଇସ୍ତଫା ଦାବି କରି ଗୁରୁବାର ଭୁବନେଶ୍ୱରରେ ରାସ୍ତା ଅବରୋଧ କରାଯାଇଛି ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାମମନ୍ଦିର ଠାରେ ରାସ୍ତା ଅବରୋଧ କରାଯିବା ସହ
ମହିଳାମାନେ ଶୋଭଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଛନ୍ତି ।

କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା, ଗଣବଳାତ୍କାରର ଶିକାର ଯୁବତୀଙ୍କୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ,
କାର୍ଯ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି ।

ସେହିପରି ମହାରଥୀଙ୍କ ଇସ୍ତଫା ଦାବିରେ ପିପିଲି କଲେଜ ଛାତ୍ରମାନେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସିପିଆଇ ପକ୍ଷରୁ ଦାବି କରାଯାଇଛି ।

ତେବେ ଅଭିଯୁକ୍ତଙ୍କ ସହ ତାଙ୍କର ସଂପର୍କ ନେଇ ହେଉଥିବା ଅଭିଯୋଗକୁ ମହାରଥୀ ଖଣ୍ଡନ କରିଛନ୍ତି ।
ଅଭିଯୋଗ ଭିତ୍ତିହୀନ ଏବଂ ସଂପୂର୍ଣ୍ଣ ମିଥ୍ୟା । ତଦନ୍ତ ହେଲେ ସତ୍ୟ କଥା ଜଣାପଡ଼ିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଘଟଣାର ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଓ ଏହା ସଂପର୍କରେ ଗୃହ ବିଭାଗ ଠାରୁ ରିପୋର୍ଟ ମଗାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଭୁବନେଶ୍ୱର ଠାରୁ ଦଶ କିମି ଦୂର ଅର୍ଜୁନଗଡ଼ା ଗ୍ରାମ ନିକଟରେ କେତେକ ଲୋକ ଗତ ନଭେମ୍ବର ୨୮ରେ ସଂପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ମହିଳା କମିଶନ ନିଜ ଆଡ଼ୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଏହା ଲୋକଲୋଚନକୁ ଆସିଥିଲା । ସଂପୃକ୍ତ ଯୁବତୀ ବର୍ତମାନ କୋମା ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version