Site icon Odisha.com

ତଦନ୍ତ ପାଇଁ ଆସିଥିବା ପୋଲିସ ଉପରେ ଆକ୍ରମଣ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଏକ ମାମଲାର ତଦନ୍ତ ପାଇଁ ଜଗତସିଂହପୁର ଆସିଥିବା ରାଉରକେଲା ମହିଳା ପୋଲିସ ଦଳକୁ ଗୁରୁବାର ଗ୍ରାମବାସୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କୋର୍ଟ ଦେଇଥିବା ଛାଡ଼ପତ୍ର ଦେଖାଇବା ସତ୍ୱେ ଜଣେ ମହିଳାଙ୍କ ଶ୍ୱଶୂର ଘର ଲୋକଙ୍କୁ ପୋଲିସ ଗିରଫ କରିଥିବାରୁ ଗୋପାଳସାଗର ଗ୍ରାମବାସୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ପାଞ୍ଚଜଣ ପୋଲିସ ଆହତ ହୋଇଛନ୍ତି ।

ଏହି ଗ୍ରାମର ରତିକାନ୍ତ ଓଝା ୨୦୦୯ରେ କୋଲାର ଗ୍ରାମର ସରସ୍ୱତୀ ମହାରଣାଙ୍କୁ ବିବାହ କରିଥିଲେ ।
ରତିକାନ୍ତଙ୍କ ବାପା ରାଉରକେଲାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସେ ତାଙ୍କ ସହ
ସେଠାରେ ରହୁଥିଲେ ।

ବିବାହ ପରେ ଯୌତୁକ ଓ ଅନ୍ୟ ବିଷୟ ନେଇ ସରସ୍ୱତୀ ଏବଂ ଶ୍ୱଶୂର ଘର ଲୋକଙ୍କ ମଧ୍ୟରେ ମତାନ୍ତର
ସୃଷ୍ଟି ହୋଇଥିଲା । ପରେ ରତିକାନ୍ତ ସରସ୍ୱତୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

ତେବେ ପରିବାର କୋର୍ଟ ଛାଡ଼ପତ୍ର ପ୍ରସ୍ତାବକୁ ଗ୍ରହଣ କରିବା ସହ ସରସ୍ୱତୀଙ୍କୁ ଭରଣପୋଷଣା ଦେବାକୁ ଶ୍ୱଶୂର ଘର ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହିଦିନ ଠାରୁ ସେମାନେ ଅଲଗା ରହିଆସୁଥିଲେ ।

ପରବର୍ତୀ ସମୟରେ ସରସ୍ୱତୀ ରାଉରକେଲା ମହିଳା ଥାନାରେ ଶ୍ୱଶୂର ଘର ଲୋକଙ୍କ ବିରୋଧରେ
ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ମାମଲା ଦାଏର କରିଥିଲେ ।

ଏହି ଘଟଣାର ତଦନ୍ତ ପାଇଁ ଆଜି ମହିଳା ଥାନା ପୋଲିସର ଏକ ଦଳ ଜଗତସିଂହପୁର ଆସି ସ୍ଥାନୀୟ ପୋଲିସ ସହାୟତାରେ ସରସ୍ୱତୀଙ୍କ ଶ୍ୱଶୂର ରାଜକିଶୋର ଓଝା, ଶାଶୁ ବିମଳା ଓଝା ଓ ଦିଅର ସୂର୍ଯ୍ୟକାନ୍ତକୁ ଗିରଫ କରିଥିଲା ।

ତେବେ ଏମାନଙ୍କ ଗିରଫଦାରିକୁ ବିରୋଧ କରି ଗ୍ରାମବାସୀମାନେ ଏକତ୍ରିତ ହୋଇ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ ଏବଂ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ଗିରଫ ବ୍ୟକ୍ତିଙ୍କ ପରିବାର ଲୋକମାନେ ପରିବାର କୋର୍ଟ ଦେଇଥିବା ଛାଡ଼ପତ୍ର ଅର୍ଡ଼ର ଥାନାରେ ଦାଖଲ କରିନଥିଲେ । ତେଣୁ ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୋଲିସ ତାଙ୍କ ଘର ଉପରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି ବୋଲି ଜଗତସିଂହପୁର ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

Exit mobile version