Site icon Odisha.com

ବରଗଡ଼, ଭଦ୍ରକରେ ବାର୍ଡ଼ ଫ୍ଲୁ ଆତଙ୍କ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ/ସ୍ନିଗ୍ଧା ରାୟ

ବରଗଡ଼/ଭଦ୍ରକ, ଜାନୁୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଦୁଇଟି ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଏବେ ବରଗଡ଼ ଏବଂ ଭଦ୍ରକ ଜିଲ୍ଲାରେ ମଧ୍ୟ ଏନେଇ ଆତଙ୍କ ଦେଖାଦେଇଛି ।

ବରଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ ଯୋଗୁଁ କୁକୁଡ଼ା ମାଂସ, ଅଣ୍ଡା, ଢାବା ହୋଟେଲ ବ୍ୟବସାୟ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି । ଲୋକେ ଏବେ କୁକୁଡ଼ା ମାଂସ ତଥା ଅଣ୍ଡା ଖାଇବା ପ୍ରାୟ ବନ୍ଦ କରିଦେଇଛନ୍ତି ।

ବିଭିନ୍ନ କୁକୁଡ଼ା ବିକ୍ରୟ କେନ୍ଦ୍ର ଓ ଫାର୍ମ ଗୁଡ଼ିକର ମାଲିକମାନେ ଏନେଇ ସତର୍କ ରହିଥିବା କହିଥିଲେ ହେଁ ଏ ରୋଗନେଇ ସେମାନେ ବି ଆତଙ୍କିତ ଅଛନ୍ତି ।

ବରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ବାର୍ଡ ଫ୍ଲୁ ରୋଗରୁ ରକ୍ଷା କରିବା ପାଇଁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା କରାଯିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖା ଯାଇଥିବା ଜିଲ୍ଲା ପଶୁଧନ ନୀରୀକ୍ଷକ ଶୋଭନ କୁମାର ନାୟକ କହିଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ବହୁ ସଂଖ୍ୟକ କାଉ ମୃତ୍ୟୁ ଘଟଣା ସର୍ବସାଧାରଣରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଜିଲ୍ଲାରେ ବାର୍ଡ଼ଫ୍ଲୁ ଆଶଙ୍କା କରି ଜିଲା ପଶୁ ଚିକିତ୍ସାଧିକାରୀ ଜିଲା ବ୍ୟାପୀ କୁକୁଡ଼ା ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ଆରମ୍ଭ କରିଛନ୍ତି ।

ମୃତ କାଉମାନଙ୍କୁ ପୋତି ଦିଆଯାଉଥିବା ବେଳେ କୁକୁଡ଼ା ଫାର୍ମ ଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି । ନଛିପୁର ଠାରେ କେତେକ କୁକୁଡ଼ା ମରିଥିବା ସୂଚନା ମିଳିଥିଲେ ମଧ୍ୟ ତାହା ବାର୍ଡ଼ ଫ୍ଲୁ ଜନିତ କି ନୁହେଁ ତାହା ଜଣାପଡ଼ି ନାହିଁ ।

ଜିଲା ପ୍ରଶାସନ ପକ୍ଷରୁ ୭ଟି ବ୍ଲକ ପାଇଁ ୭ଟି ଭ୍ରାମ୍ୟମାଣ ଟିମ୍ ଗଠନ କରାଯାଇ ସେମାନଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜନସାଧାରଣଙ୍କ ମନରୁ ଆତଙ୍କ ଦୂର ହୋଇନାହିଁ ।

ବର୍ତମାନ କେରଙ୍ଗ ଅଞ୍ଚଳରେ ବ୍ୟାପକ ଭାବେ କୁକୁଡ଼ା ମରା ଅଭିଯାନ ଚାଲିଥିବା ବେଳେ ସେହି ଅଂଚଳରୁ ଅସାଧୁ କୁକୁଡ଼ା ଚାଷୀ ନିଜର କୁକୁଡ଼ାଙ୍କୁ ଅନ୍ୟ ସ୍ଥାନରେ ବିକ୍ରି କରୁଛନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବାର୍ଡ଼ ଫ୍ଲୁ ଆତଙ୍କ ଦୂର କରିବାକୁ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version