Site icon Odisha.com

କେବଳ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ କେତେକ କଟକଣା ଜାରି କରିଥିବା ବେଳେ କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଦଳୀୟ ମାନ୍ୟତା ନିଆଯାଇଛି ।

ପ୍ରାର୍ଥୀମାନେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ପ୍ରଚାର କରିପାରିବେ ନାହିଁ କିମ୍ବା ଦଳୀୟ ନେତାଙ୍କ ଫଟୋକୁ ବ୍ୟବହାର କରିପାରିବେ ନାହିଁ ବୋଲି ଶୁକ୍ରବାର କମିଶନ ପକ୍ଷରୁ କୁହାଯାଇଛି ।

ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀଙ୍କୁ କୌଣସି ଦଳୀୟ ସଂକେତ ଦିଆଯାଇ ନାହିଁ ବୋଲି କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ପଠାଯାଇଛି ।

ତେବେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ନିଜକୁ ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ପ୍ରଚାର କରୁଛନ୍ତି । ତେଣୁ ନିର୍ବାଚନ ଆଚରଣବିଧି ଅନୁଯାୟୀ ଏମାନେ ବ୍ୟାନର ବା ପୋଷ୍ଟରରେ ନିଜକୁ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ବୋଲି ଲେଖି ପାରିବେ ନାହିଁ ।

ଏହାସହ ସେମାନେ କୌଣସି ରାଜନୈତିକ ଦଳର ନେତାଙ୍କ ଫଟୋ ବ୍ୟାନର ବା ପୋଷ୍ଟରରେ ଲଗାଇ
ପାରିବେ ନାହିଁ । ଏଭଳି କାର୍ଯ୍ୟ କଲେ ତାହା ନିର୍ବାଚନ ଆଚରଣବିଧି ଉଲଂଘନ ବୋଲି ଧରି ନିଆଯିବ ।

ତେବେ କମିଶନଙ୍କ ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆସନ୍ତା ଫେବୃୟାରୀ ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version