Site icon Odisha.com

ଲାଠୋର ଘରପୋଡ଼ି ପ୍ରତିବାଦରେ ଦିଲ୍ଲୀରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଜାନୁୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଲାଠୋରରେ ନିକଟରେ ହୋଇଥିବା ଘରପୋଡ଼ି ଘଟଣା ପ୍ରତିବାରେ ଶୁକ୍ରବାର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ୟୁନାଇଟେଡ଼୍ ଦଳିତ ଛାତ୍ର ସଂଘ ପକ୍ଷରୁ ଓଡ଼ିଶା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣା ଦିଆଯାଇଛି ।

ଘରପୋଡ଼ି ଘଟଣାର ନିନ୍ଦା କରିବା ସହ ଲାଠୋରରେ ଦଳିତ ମାନଙ୍କୁ ଅଧିକ କ୍ଷତିପୂରଣ ସହ ନ୍ୟାୟ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଗତ ରବିବାର ଏକ ଦୋକାନରୁ ସାର୍ଟ କିଣିବାକୁ ନେଇ ଦୋକାନୀ ଏବଂ ସ୍ଥାନୀୟ ଜଣେ ଯୁକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୁବକ ଜଣକ ନିଜ ପଡ଼ାରେ ଏସଂପର୍କରେ କହିବାରୁ କିଛି ଲୋକ ଦୋକାନକୁ ଯାଇ ଗାଳିଗୁଲଜ କରିବା ସହ ଦୋକାନୀଙ୍କ ପୁଅକୁ ମାଡ଼ ମାରିଥିଲେ ।

ଏହାପରେ ଦୋକାନୀଙ୍କ ପଡ଼ାର ଲୋକମାନେ ଏକତ୍ରିତ ହୋଇ ସଂପୃକ୍ତ ଦଳିତ ଯୁବକଙ୍କ ପଡ଼ାର ପ୍ରାୟ ୩୦ରୁ ଅଧିକ ଘରେ ନିଅାଁ ଲଗାଦେଇଥିଲେ ।

ଏହି ଘଟଣାରେ ପୋଲିସ ଜଣେ ନାବାଳକଙ୍କ ସମେତ ୪୨ ଜଣଙ୍କୁ ଗିରଫ କରିଥିବା ବେଳେ କ୍ଷତିଗ୍ରସ୍ତ
ଲୋକଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଥିଲା । ତେବେ ଘଟଣାର ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version