Site icon Odisha.com

ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଶେଷଜ୍ଞ ଦଳ ଓଡ଼ିଶାରେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ପୀଡ଼ିତା ଯୁବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶନିବାର ନୂଆଦିଲ୍ଲୀ ସ୍ଥିତ ଏମ୍ସର ଏକ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଂଚିଛନ୍ତି ।

ଫରେନ୍ସିକ ମେଡ଼ିସିନ୍, ମହିଳା ଓ ପ୍ରସୂତି, ଡ଼ିଏନ୍ଏ ଏବଂ ଟକ୍ସିକୋଲୋଜି ବିଭାଗର ଚାରି ଜଣିଆ ବିଶେଷଜ୍ଞ ଦଳ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ରାଜ୍ୟର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ପିପିଲି ଅର୍ଜୁନଗୋଡ଼ା ଗ୍ରାମର ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଗତ ନଭେମ୍ବରରେ କେତେକ ଲୋକ
ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ
ଅଭିଯୋଗ କରିଛନ୍ତି ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଦିଆଯାଇଥିବା ଅଭିଯୋଗ ହୋଇଥିଲା । ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ପରେ ଗତ ୧୯ ତାରିଖରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ।

ବର୍ତମାନ କ୍ରାଇମବ୍ରାଂଚ ପୋଲିସ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରୁଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଂଚ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ପଲିଗ୍ରାଫ କରୀକ୍ଷା କରିଛି ।

“”କ୍ରାଇମବ୍ରାଂଚ ଏହି ବିଶେଷଜ୍ଞ ଦଳଙ୍କୁ ଆସିବା ପାଇଁ ଅନୁରୋଧ କରିଥିଲେ । ସେମାନେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଏବଂ ସେମାନେ ଏସଂପର୍କରେ ରିପୋର୍ଟ ପ୍ରଦାନ କରିବେ” ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version