Site icon Odisha.com

ଆଚରଣବିଧି ଉଲଂଘନ ଯୋଗୁଁ ଉଦ୍ବେଗ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ନିର୍ବାଚନ ପ୍ରଚାର ସମୟରେ ଜଗତସିଂହପୁର ଜିଲ୍ଲାରେ ଆଚରଣବିଧି ଉଲଂଘନ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।

ନିର୍ବାଚନ କମିଶନଙ୍କ କଟକଣା ସତ୍ୱେ ପ୍ରାର୍ଥୀମାନେ ଦଳର ନାମ, ଦଳୀୟ ସଂକେତ ଏବଂ ନେତାଙ୍କ ଫଟୋ ଚିତ୍ର ଲଗାଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ପ୍ରାର୍ଥୀମାନେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଆରା ଭାବରେ ପ୍ରଚାର କରି ଭୋଟର୍ ମନ ଜିଣିବାକୁ ପ୍ରୟାସ କରୁଛନ୍ତି । ସେମାନେ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ପ୍ରାର୍ଥୀଙ୍କ ନାଁ ଏବଂ ଦଳର ସଂକେତ ଲଗାଇଛନ୍ତି ।

ଶାସକ ବିଜେଡ଼ି ଦଳର ପ୍ରାର୍ଥୀମାନେ ଦଳର ସଂକେତ ଏବଂ ଦଳର ନାଁ ବ୍ୟବହାର କରି ପ୍ରଚାର କରୁଥିବା ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଶାସକ ଦଳ ପ୍ରାର୍ଥୀମାନେ ଆଚରଣବିଧି ଉଲଂଘନ କରୁଥିବା ସତ୍ୱେ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳର ନାମ, ସଂକେତ ବ୍ୟବହାର କରିପାରିବେ ନାହିଁ ଏବଂ ଏହା ଉଲଂଘନ କଲେ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିବା ବେଳେ ଏନେଇ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

“ଯଦି ଜିଲ୍ଲାପରିଷଦ ସଭ୍ୟଙ୍କ ବ୍ୟାନରରେ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରଚାର କରୁଛନ୍ତି ତେବେ ଏହା ଆଚରଣବିଧି ଉଲଂଘନ କରୁଛି, ଅଭିଯୋଗ ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ଅତିରିକ୍ତ ଜିଲ୍ଲାପାଳ ମିହିର ଚାନ୍ଦ ମଲ୍ଲିକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version