Site icon Odisha.com

ଛାତ୍ରୀ ହତ୍ୟା ଘଟଣାରେ ଏଫ୍ଏମ୍ଟି ଦଳର ତଦନ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲା ଚନ୍ଦନପୁର ନାବାଳିକା ଛାତ୍ରୀ ହତ୍ୟା ଘଟଣାରେ(ଫରେନ୍ସିକ୍ ମେଡ଼ିସିନ୍ ଆଣ୍ଡ ଟକ୍ସିକୋଲୋଜି) ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।

ଏକ ଚାରି ଜଣିଆ ଦଳ ରବିବାର ଚନ୍ଦନପୁରରେ ପହଞ୍ଚି ମୃତ ଦେହେ ପଡ଼ିଥିବା ପୋଖରୀ, ବିଭିନ୍ନ ସାମଗ୍ରୀ ପଡ଼ିଥିବା ସ୍ଥାନରେ ତଦନ୍ତ କରିବା ସହ ମୃତାଛାତ୍ରୀଙ୍କ ଘରକୁ ଯାଇ ତାଙ୍କ ବାପା ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଝିଅକୁ ହତ୍ୟା କରାଯାଇଛି ଏବଂ ଠିକ୍ ଭାବରେ ତଦନ୍ତ ହେଲେ ସତକଥା ପଦାକୁ ଆସିବ ବୋଲି ଛାତ୍ରୀଙ୍କ ବାପା ନିରଂଜନ ପାତ୍ର ତଦନ୍ତକାରୀ ଦଳକୁ କହିଛନ୍ତି । ବହୁ ବଡ଼ ବଡ଼ ଲୋକ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।

ଗତ ବର୍ଷ ମାର୍ଚ୍ଚ ୨୬ ସଂଧ୍ୟାରେ ଚନ୍ଦନପୁର ଅନ୍ତର୍ଗତ ନୂଆଗାଁ ଗ୍ରାମର ଜନୈକ ନାବାଳିକାଙ୍କୁ କେତେକ ଲୋକ ଜୋରଜବରସ୍ତ ନେଇଯାଇଥିଲେ । ତିନିଦିନ ପରେ ପୋଲିସ ଏକ ଚୂଆରୁ ତାଙ୍କର ମୃତ ଦେହ ଉଦ୍ଧାର କରିଥିଲା ।

ଏହି ଘଟଣାରେ ଫରେନ୍ସିକ୍ ଟିମ୍ ରିପୋର୍ଟ ଦେଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଚୁପ୍ ରହିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version