Site icon Odisha.com

ଭଦ୍ରକରେ କଂଗ୍ରେସର ସରକାର ବିରୋଧି ସମାବେଶ ୩୧ରେ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନା ବିରୋଧରେ ଆସନ୍ତା ୩୧ରେ ଭଦ୍ରକ ଜିଲ୍ଲାରେ ଏକ ସମାବେଶର ଆୟୋଜନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହବିଭାଗ ରଖିଥିଲେ ହେଁ ରାଜ୍ୟତମାମ ମହିଳାଙ୍କ ଉପରେ ଅତ୍ୟାଚାର ଓ ବଳାତ୍କାର ଘଟଣା ବଢି ଚାଲିଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ କହିଛନ୍ତି ।

ଅଧିକାଂଶ ମାମଲାରେ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ବେଳେ ଧର୍ଷଣ ଅଭିଯୁକ୍ତମାନେ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଥିବା ପ୍ରମାଣ ମିଳିସାରିଛି ।

ପିପିଲି ଗଣଧର୍ଷଣ ମାମଲାରେ ଗଣ ଆନ୍ଦୋଳନ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ମନ୍ତ୍ରୀ ଓ ପୋଲିସ ଅଫିସରଙ୍କୁ ବିଦା କରିଛନ୍ତି,ସେ କହିଛନ୍ତି ।

କିନ୍ତୁ ଗୃହ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନିଜେ ନିଜକୁ ଘଣ୍ଟ ଘୋଡାଇବାର ଅପଚେଷ୍ଟା କରିଛନ୍ତି । କୌଣସି ପରିସ୍ଥିତିରେ ନିଜମୁଣ୍ଡକୁ ଦୋଷ ନେବାକୁ ଅନିଚ୍ଛୁକ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି ।

ଆୟୋଜିତ ସମାବେଶରେ ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜଗଦୀଶ ଟାଇଟଲର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version