Site icon Odisha.com

ହାଇଦ୍ରାବାଦ : ଓଡ଼ିଆ ଆଇଏଏସ୍ ଅଫିସର ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ହାଇଦ୍ରାବାଦ,ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) ଆନ୍ଧ୍ରପ୍ରଦେଶରେ ଗୃହ ସଚିବ ଭାବେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ଅଫିସର ବିଭୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଏମାର୍-ଏପିଆଇଆଇସି ଟାଉନସିପ୍ କେସ୍ରେ ସିବିଆଇ ସୋମବାର ଗିରଫ କରିଛି ।

ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଦିଲକୁସା ଗେଷ୍ଟ ହାଉସ ଠାରେ ଥିବା ତଦନ୍ତ ସଂସ୍ଥାର କ୍ୟାମ୍ପ କାର୍ଯ୍ୟାଳୟରେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯିବା ପରେ ଅପରାହ୍ନରେ ଗିରଫ କରାଯାଇଥିଲା ।

କୋର୍ଟ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପରେ ପୁନଶ୍ଚ ଆଚାର୍ଯ୍ୟଙ୍କୁ ଉକ୍ତ ଗେଷ୍ଟ୍ ହାଉସ୍କୁ ଅଧିକ ପଚରାଉଚରା ପାଇଁ ନିଆଯାଇଛି ।

୧୯୮୩ ବ୍ୟାଚ୍ର ଏହି ଅଫିସର ଆନ୍ଧ୍ରପ୍ରଦେଶ ଇଣ୍ଡଷ୍ଟ୍ରିଆଲ କର୍ପୋରେସନର ଉପାଧକ୍ଷ୍ୟ ତଥା
ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ରାଜ୍ୟର ଏକ ପ୍ରକଳ୍ପ ପାଇଁ ଦୁବାଇ ସ୍ଥିତ କଂପାନୀ ସହିତ
ବୁଝାମଣା କରି ନେଇଥିବା ପଦକ୍ଷେପ ଯୋଗୁଁ ଆନ୍ଧ୍ର ସରକାରଙ୍କ ବହୁତ କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।

ବର୍ତମାନ ସେ ରାଜ୍ୟର ଗୃହ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସିବିଆଇ ରିପୋର୍ଟ ଅନୁଯାୟୀ ଏହି କେସ୍ର ପ୍ରଥମ ଅଭିଯୁକ୍ତ ଭାବେ ଆଚାର୍ଯ୍ୟ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଆଦି ମାମଲାରେ ଗିରଫ ହୋଇଛନ୍ତି ।

ତାଙ୍କୁ ପୁର୍ନବାର ଫେବୃଆରୀ ୧ତାରିଖରେ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ଜାମିନ ଆବେନ ମଧ୍ୟ କରାଯାଇଛି ଯାହାର ଶୁଣାଣି ମଧ୍ୟ ଫେବୃୟାରୀ ୧ ତାରିଖରେ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version