Site icon Odisha.com

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତପରେ କଂଗ୍ରେସର ସମାବେଶ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ପ୍ରଚାର ପରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାବେଶରେ କେନ୍ଦ୍ରୀୟ ନେତା ତଥା ଓଡ଼ିଶା ପ୍ରଭାରୀ ଜଗଦୀଶ ଟାଇଟଲର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ ।

ରାଜ୍ୟର ବିକାଶ ପାଇଁ ଗତ ୭ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ ହେଁ ନବୀନ ବାବୁ ତା’ର ହିସାବ ଦେଇ ପାରୁ ନାହାନ୍ତି ।

କେନ୍ଦ୍ରୀୟ ଅନୁଦାନକୁ ଲୁଟ୍ କରି ସରକାରରେ ଥିବା ମନ୍ତ୍ରୀ ଓ ନେତାମାନେ ନିଜସ୍ୱ ପାଣ୍ଠି ବଢ଼ାଇବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି ।

ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ସରକାର ଏକ ବେଇମାନ ଓ ଅପାରଗ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ରାଜପଥ ଠାରୁ ଆରମ୍ଭ କରି ଗାଁର କଂକ୍ରିଟ ରାସ୍ତା ପର୍ଯ୍ୟନ୍ତ ସବୁକିଛି କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ ହେଉଛି ।

ବନ୍ୟା ସହାୟତା ପାଇଁ କେନ୍ଦ୍ରରୁ ଆସିଥିବା ୯୨୧କୋଟି ଟଙ୍କା ଠିକାଦାର,ପ୍ରଶାସନ ଓ ରାଜନେତାଙ୍କ ମାଧ୍ୟମରେ ବାଟମାରଣା ହୋଇଛି ।

ସରକାର ନିଜର ସ୍ୱଛତା ପ୍ରତିପାଦନ କରିବା ପାଇଁ ଖୋଲା ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଗତ ୧୨ବର୍ଷ ମଧ୍ୟରେ ସରକାର ବିକାଶ ନାମରେ ବିନାଶ ଚଳାଇଛି ବୋଲି ସମାବେଶରେ ଯୋଗେଇ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ

ଯେଉଁ ସରକାରର ୧୨ବର୍ଷର ଶାସନ ପରେ ବି ୧୨ହଜାର ଗ୍ରାମରେ ସ୍କୁଲ ନାହିଁ ଓ ୭ହଜାର ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି ସେଠାରେ ଶିକ୍ଷା ବ୍ୟବସ୍ଥା କିପରି ଭୁଷୁଡ଼ି ପଡ଼ିଛି ତାହା ଏହି
ପରିସଂଖ୍ୟାନରୁ ସ୍ପଷ୍ଟ, ସେ କହିଛନ୍ତି ।

ଓଡ଼ିଶାକୁ ଦେଶର ୧ନମ୍ବର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ନିର୍ବାଚନୀ ସଭାରେ ଡ଼ିଣ୍ଡିମ ପିଟୁଥିବା ବେଳେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା କାହିଁକି ଏକ ନମ୍ବର ଗରୀବ ରାଜ୍ୟରେ ପରିଣତ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version