Site icon Odisha.com

ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ରହିତାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) “ଅଚିହ୍ନା ବାସଭୂମି” ଉପନ୍ୟାସକୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

୨୦୧୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ କୋଲକାତା ନିବାସୀ ଓଡ଼ିଆ ସାହିତ୍ୟିକା କଳ୍ପନା କୁମାରୀ ବେୀଙ୍କ ଦ୍ୱାରା ଲିଖିତ ଏହି ଉପନ୍ୟାସ ମନୋନୀତ ହୋଇଥିଲା ।

ଚଳିତମାସ ୧୨ ତାରିଖଦିନ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଚିହ୍ନା ବାସଭୂମିକୁ ପୁରସ୍କାର ପାଇଁ ମନୋନୀତ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରକାଶକ ତଥା ଲେଖକ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମୋଟ୍୧୬ଟି ଓଡ଼ିଆ ପୁସ୍ତକ ତାଲିକାଭୁକ୍ତ ହୋଇଥିଲା ଏବଂ ଏଥିମଧ୍ୟରୁ କେବଳ କଲ୍ୟାଣୀନଗରର କାହାଣୀ/ଅକ୍ଷର ପବ୍ଲିକେସନ୍ ପକ୍ଷରୁ ପ୍ରକାଶିତ ୧୧ଟି ପୁସ୍ତକ ସ୍ଥାନ ପାଇଥିଲା ବୋଲି ସେ ଏଥିରେ ଦର୍ଶାଇଛନ୍ତି ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରହିତାଦେଶ ଜାରି କରିବା ସହ ଏ ସଂପର୍କରେ ଜବାବ ଦାଖଲ କରିବାକୁ ଲେଖିକା କଳ୍ପନା କୁମାରୀ ଦେବୀ, କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତିବିଭାଗର ଶାସନ ସଚିବ,ସାହିତ୍ୟ ଏକାଡ଼େମୀର ଆବାହକ ବିଭୂତି ପଟ୍ଟନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version