Site icon Odisha.com

ଗଣବଳାତ୍କାର:ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କ ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମହିଳା କମିଶନ ପରାମର୍ଶ ଦେଇଥିବା ଶୁକ୍ରବାର କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ସଂପୃକ୍ତ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଛି ବୋଲି କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।

କୋମା ଅବସ୍ଥାରେ ଥିବା ୧୯ ବର୍ଷ ବୟସ୍କା ଏହି ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ତାଙ୍କ ଗାଁ
ଅର୍ଜୁନଗେ।। ନିକଟରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତମାନେ ପୂର୍ବରୁ ୨୦୦୮ରେ ମଧ୍ୟ ଯୁବତୀଙ୍କୁ ଦୂର୍ବ୍ୟବହାର କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ନଭେମ୍ବର ୨୯ରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ପରେ ଅନ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରିବାକୁ ମନା କରିବୋରୁ ଗଣମାଧ୍ୟ ପ୍ରତିନିଧିମାନେ ଏ ସଂପର୍କରେ ରିପୋର୍ଟ ପ୍ରକାଶ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା ।

ପୀଡ଼ିତାଙ୍କୁ ଝୁଲାଇ ଦିଆଯାଇଥିବାରୁ ତାଙ୍କର ବେକରେ ଆଘାତ ଲାଗିଛି ବୋଲି ପ୍ରାଥମିକ ଡ଼ାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିବା କମିଶନ ଅଧ୍ୟକ୍ଷା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

“”ଆଇନ ଅନୁଯାୟୀ ଯଦି ଯୁବତୀଙ୍କୁ ଝୁଲାଇ ଦିଆଯାଇଥିବା ତଥ୍ୟ ଡ଼ାକ୍ତର ପାଇଥିଲେ ତେବେ ସେ ଏସଂପର୍କରେ ସ୍ଥାନୀୟ ଥାନାକୁ ଅବଗତ କରାଇବା ଉଚିତ୍ ଥିଲା” ପାଣିଗ୍ରାହୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସଂପୃକ୍ତ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ଡ଼ାକ୍ତରଖାନାରୁ ତାଙ୍କୁଦୁଇଥର ଫେରାଇ ଦିଆଯାଇଛି, ସେ କହିଛନ୍ତି ।

“”ବିଭିନ୍ନ ଡ଼ାକ୍ତରଖାନାରେ ଯଦି ଡ଼ାକ୍ତର ମାନଙ୍କ ଦ୍ୱାରାଠିକ୍ ସମୟରେ ପଦକ୍ଷେପ ନିଆଯାଇଥାନ୍ତା ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇନଥାନ୍ତା” ସେ ଉଲ୍ଲେଖ କରିଛନ୍ତି ।

ଗଣବଳାତ୍କାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଗତ ଜାନୁୟାରୀ ୧୯ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ଲାଇ
ଡ଼ିଟେକ୍ଟର ଏବଂ ପଲିଗ୍ରାଫ ପରୀକ୍ଷା କରିସାରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version