Site icon Odisha.com

ଏସ୍ଏମ୍ଏସ୍, ଇମେଲ ଜରିଆରେ ନିର୍ବାଚନ ପ୍ରଚାର

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଦଳୀୟ ସଂକେତ ତଥା ଦଳର ନାମ ବ୍ୟବହାର
ଉପରେ ନିର୍ବଚନ କମିଶନ କଟକଣା ଜାରି କରିଥିବାରୁ ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀମାନେ ଏସ୍ଏମ୍ଏସ୍, ଇମେଲରେ ନିର୍ବାଚନ ପ୍ରଚାର କରୁଛନ୍ତି ।

ଏଭଳି ଭୋଟ୍ ପ୍ରଚାର ଉପରେ କଟକଣା ଜାରି କରାଯାଇନଥିବାରୁ ସେମାନେ ଏହି ଅଭିନବ ଉପାୟରେ ଦଳର ନାମ ଓ ସଂକେତ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି ।

ହାଇକୋର୍ଟ ଏବଂ କମିଶନଙ୍କ କଟକଣା ସତ୍ୱେ ଅଧିକାଂଶ ପ୍ରାର୍ଥୀ ଏସ୍ଏମ୍ଏସ୍ ଏବଂ ଇମେଲରେ ଦଳର ନାମ ଓ ସଂକେତ ବ୍ୟବହାର କରି ପ୍ରଚାର କରୁଛନ୍ତି ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ ସାହୁ କହିଛନ୍ତି ।

ଏଭଳି ଉପାୟରେ ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ଼ମେମ୍ବର ପ୍ରାର୍ଥୀମାନେ ଦଳର ନାମ ଓ ସଂକେତ ବ୍ୟବହାର କରିବା ଆଚରଣବିଧି ଉଲଂଘନ ନୁହେଁ, ତେଣୁ ନିର୍ବାଚନ ଲଢୁଥିବା ଯୁବକ ଯୁବତୀମାନେ ଏହି ମାଧ୍ୟମ ଆପଣେଇଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଭୋଟରଙ୍କ ମନ ଜିଣିବା ପାଇଁ କେତେକ ପ୍ରାର୍ଥୀ ମୋବାଇଲରେ କାର୍ଡ଼ ପକାଇବା ପାଇଁ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

“ଇମେଲ ଏବଂ ଏସ୍ଏମ୍ଏସ୍ ଦ୍ୱାରାହେଉଥିବା ଆଚରଣବିଧି ଉଲଂଘନକୁ ପ୍ରତିହତ କରିବା ପାଇଁ କୌଣସି ସଫ୍ଟୱୟାର ବହାରି ନାହିଁ । ଏହି ବିଷୟରେ ଅଭିଯୋଗ ଆସିଲେ ପ୍ରଶାସନ ତାହାର ତଦନ୍ତ କରିବ” ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version