ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରି ଚାକିରୀ କରୁଥିବା ଦୁଇ ଜଣ ଶିକ୍ଷା ସହାୟକଙ୍କୁ ବହିଷ୍କାର କରାଯାଇଛି ।
ଜିଲ୍ଲା ପ୍ରକଳ୍ପ ସଯୋଜକ ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ ଫତେପୁର ଗ୍ରାମରେ ଅଜିତ କୁମାର ଜେନା ଏବଂ କିସ୍ମତପୁରକୃଷ୍ଣ ଗ୍ରାମର ସୁଶାନ୍ତ କୁମାର ଭୋଇଙ୍କୁ ବହିଷ୍କାର କରିଛନ୍ତି ।
ଜେନା ଚାକିରୀ ପାଇବା ପୂର୍ବରୁ ଧନ୍ଦାମୂଳକ ଶିକ୍ଷାଗତ ଯୋଗ୍ୟତାର ଯେଉଁ ପ୍ରମାଣପତ୍ର ପ୍ରଦାନ କରିଥିଲେ ତାହା ପରବର୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିବା ବେଳେ ଭୋଇ ମନ୍ଦାରୀ କଲେଜରୁ ଯୁକ୍ତ ୨ଫେଲ ହେବାପରେ ଏକ ଜାଲ କଲେଜ ଲିଭିଂ ପ୍ରମାଣପତ୍ର ଯୋଗାଡ଼ କରି ଚାକିରୀ କରିଥିବା ପ୍ରମାଣିତ ହୋଇଥିଲା ।
କେବଳ ଏହିଦୁଇଟି ଘଟଣା ନୁହେଁ ବରଂ ଏଭଳି ଅନେକ ଜାଲ ପ୍ରମାଣପତ୍ର ଧାରୀ ଶିକ୍ଷା ସହାୟକ ପରେ ଅବସ୍ଥାପିତ ହୋଇଥିବା ସନ୍ଦେହ କରାଯାଉଛି । ଏହିପରି ଘଟଣାର ଏକ ବିଧିବଦ୍ଧ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଂଚଳର ଲୋକମାନେ କହିଛନ୍ତି ।
ଯଦି ଶିକ୍ଷକମାନେ ମିଥ୍ୟା ପ୍ରମାଣପତ୍ର ଦେଇ ଚାକିରୀ କରିବେ ତେବେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇବା ସ୍ୱଭାବିକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
ଓଡ଼ିଶା ଡ଼ଟ୍ କମ୍