Site icon Odisha.com

ଚାଷୀଙ୍କ ପାଇଁ ଡାଇରେକ୍ଟ ଡ୍ରମ ସିଡ୍ସ ଉପକରଣ ବରଦାନ

 

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

 

ବରଗଡ, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷା ଓ ପ୍ରବଳ ଶୀତ ଯୋଗୁଁ ରୋଗରେ ବରଗଡ଼ ଜିଲ୍ଲାରେ ବ୍ୟାପକ ଧାନଚାରା ନଷ୍ଟ ହୋଇଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଡାଇରେକ୍ଟ ଡ୍ରମ ସିଡ୍ସ ଉପକରଣ ବରଦାନ ପାଲଟିଛି ।

 

 

ଜିଲ୍ଲାର ସର୍ଲା, ଜାମପାଲି, କଟାପାଲି, ତୋରା, ଗାଇସୀମା, ସକୀର୍ଡା, ତାଲମେଣ୍ଡା, ବରାହଗୋଡ଼ା, ରେମେଣ୍ଡା, ଅଏଁଲାପାଲି, କଳାପାଣି, ପାହାଡ଼ଶ୍ରୀଗିଡ଼ା, ଅତାବିରା ଆଦି ଅଞ୍ଚଳର ପ୍ରାୟ ଦୁଇ ହଜାର ଏକର ଚାଷଜମି ପ୍ରଭାବିତ ହୋଇଥିଲା ।

 

ଏବେ ରାଜ୍ୟରେ ପ୍ରଥମଥର ପାଇଁ ବରଗଡ଼ ଜିଲ୍ଲାରେ ଡାଇରେକ୍ଟ ଡ୍ରମ ସିଡ୍ସ ବା ସିଧାସଳଖ ଧାନ ବିହନ ପ୍ରତ୍ୟାରୋପଣ ପଦ୍ଧତିର ବ୍ୟବହାର ଯୋଗୁଁ ଅଞ୍ଚଳର ଚାଷୀ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି ।

କୃଷି ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବେ ଜିଲ୍ଲାର ୫୦୦ଏକର ଜମିରେ ଏହି ପଦ୍ଧତିରେ ଧାନ
ରୋପଣ କରାଯାଇଛି ।

 

ଏହି ନୂତନ ପଦ୍ଧତିରେ ହସ୍ତଚାଳିତ ମେଶିନ ସାହାଯ୍ୟରେ କମ୍ ଶ୍ରମିକ ଓ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ
ବିହନ ରୋପଣ କରାଯାଇପାରିବା ସହିତ ଏକରପିଛା ଅଧିକ ୫ବସ୍ତା ଅମଳ ହେବା ବୋଲି ବରଗଡ଼ କୃଷି କାର୍ଯ୍ୟାଳୟର କର୍ମଚାରୀ ତଥା ଏହି ପଦ୍ଧତି ଉପରେ ଗବେଷଣା ଚଳାଇଥିବା ଅମିୟ ସାହୁ କହିଛନ୍ତି ।

 

ଏଥିପାଇଁ ଏକର ପିଛା ଚାଷୀଙ୍କୁ ୧୦୭୦ଟଙ୍କା ଓ ରାଜ୍ୟ କୃଷି ବିଭାଗ ପକ୍ଷରୁ ୧୯୭୨ଟଙ୍କା ପ୍ରଦାନ କରାଯାଉଥିବା ଜଣାଯାଇଛି ।

 

ବରଗଡ଼ କଟାପାଲିର ଚାଷି ସୁଦାମ ସାହୁ ତାଙ୍କର ୧୦ଏକର ଜମିରେ ଏହି ପଦ୍ଧତିରେ ଧାନଚାଷ କରିଥିବା ବେଳେ କେବଳ ୨ଜଣ ଶ୍ରମିକଦିନକୁ ପ୍ରାୟ ୩ଏକର ଜମିରେ ଧାନ ବିହନ ରୋପଣ କରାଯାଇପାରୁଛି ବୋଲି ସେ କହିଛନ୍ତି ।

 

ସେହିପରି ଏହି ନୂତନ ପଦ୍ଧତିର ବ୍ୟବହାରକୁ ନେଇ ପ୍ରଥମେ ସନ୍ଦିହାନ ଥିବା ବନ୍ଦା ଗ୍ରାମର ଚାଷୀ ବି.ଭି.ଡି. ସତ୍ୟନାରାୟଣ ତାଙ୍କର ୨୦ଏକର ଜମିରେ ଉକ୍ତ ପଦ୍ଧତିରେ ଚାଷ କରିଥିବା ବେଳେ ଏଥିରୁ ଅଧିକ ଅମଳ ହେବାର ଆଶା ରଖିଥିବା କହିଛନ୍ତି ।

 

ସୂଚନାଯୋଗ୍ୟ ଯେ, ଏହି ପଦ୍ଧତିକୁ ତାମିଲନାଡ଼ୁ କୃଷି ବିଭାଗ ପୂର୍ବରୁ ଉପଯୋଗ କରିଆସୁଥିବା ବେଳେ ଏବେ ଓଡ଼ିଶା ସରକାର ବରଗଡ଼ ଜିଲ୍ଲାରେ ଏହାକୁ ପ୍ରଥମ ଥର ପାଇଁ ବ୍ୟବହାରରେ ଲଗାଇଛନ୍ତି ।

ଉକ୍ତ ପଦ୍ଧତିକୁ ପ୍ରଥମେ ଚାଷୀମାନେ ବୁଝିପାରି ନଥିବା ତଥା ଏହାର ବ୍ୟବହାର ଜାଣିନଥିବାରୁ ସେମାନଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଖୋେଇଥିଲା । ଫଳରେ ଜିଲ୍ଲାର ଅଧିକ ଚାଷି ଏହାର ଲାଭ ଉଠାଇ ପାରିନଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି ।

 

ଓଡ଼ିଶା ଡ଼ଟ୍ କମ୍

Exit mobile version