Site icon Odisha.com

ସ୍କୁଲରେ ବୋମା ତିଆରି ସାମଗ୍ରୀ ମିଳିବା ପରେ ଆତଙ୍କ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ଅଲସୁଧା ପ୍ରାଥମିକ ବିଦ୍ୟାଳୟ ବୋମା ତିଆରି ସାମଗ୍ରୀ ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଆସନ୍ତା ନିର୍ବାଚନ ସମୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅସାମାଜିକ ବ୍ୟକ୍ତିମାନେ ସ୍କୁଲରେ ଏଭଳି କାର୍ଯ୍ୟ ଚଲାଇଥିବା ଅଭିଯୋଗ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପିତେଇପୁର ପଂଚାୟତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୋମବାର ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ, ପ୍ଲାଷ୍ଟିକ ଗ୍ଲାସ, ବୋତଲ, ସୂତା ଓ ଅନ୍ୟାନ୍ୟ ସାମଗ୍ରୀ ଦେଖିବା ପରେ ଏସଂପର୍କରେ ପିତାମାତାଙ୍କୁ ଜଣାଇଥିଲେ ।

ଘଟଣା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସେମାନେ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଏବିଷୟରେ ଜଣାଇଥିଲେ ।

ତେବେ ସ୍କୁଲରେ କୌଣସି ବୋମା ଥିବା ସନ୍ଦେହ କରି ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କୁ ଧରିବାକୁ ପ୍ରଧାନଶିକ୍ଷକ ସ୍ଥାନୀୟ ପୋଲିସକୁ ଜଣାଇଥିଲେ ।

ସ୍କୁଲରେ ଏଭଳି ବିପଦ ଜନକ କାର୍ଯ୍ୟ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଯିବାକୁ ଦେଇନଥିଲେ ।

ସ୍କୁଲରୁ ମିଳିଥିବା ସାମଗ୍ରୀ ଗୁଡ଼ିକୁ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version