Site icon Odisha.com

ବିଷାକ୍ତ ମଦ ଓ ଔଷଧ ପିଇ ୧୯ ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲାରେ ବିଷାକ୍ତ ମଦ ଔଷଧ ପିଇ ୧୯ ଜଣଙ୍କ ମୃତ୍ୟୁ ହେବା ସହ ୨୦ରୁ ଉର୍ଦ୍ଧ୍ଵ ଲୋକ ଅସୁସ୍ଥ ଥିବା ପୋଲିସ ବୁଧବାର କହିଛି ।

ମୃତକଙ୍କ ମଧ୍ୟରେ ଏହି କାରବାରର ମୁଖ୍ୟ ବାଇଧରର ମଧ୍ୟ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଗିରୀଶ ଏସ୍.ଏନ୍. କହିଛନ୍ତି ।

ଭୁବନେଶ୍ୱର ସ୍ଥିତ ଏକ କାରଖାନାରୁ ସଂପୃକ୍ତ ବ୍ୟକ୍ତି ଏହି ଔଷଧ ଆଣି ବିକ୍ରୀ କରିଥିଲା ଏବଂ ଏହାକୁ ପିଇବା ପରେ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଲୋକ ଅଛନ୍ତି ବୋଲି ସେ କହିଛନ୍ତି ।

ତେବେ ଭୁବନେଶ୍ୱରରେ ଥିବା ଔଷଧ କାରଖାନାକୁ ସିଲ୍ କରିଦିଆଯାଇଛି ଏବଂ ରେଡ଼କ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାଇଧରଙ୍କ ଘର ଉପରେ ଚଢାଉ କରି ବିପୁଳ
ପରିମାଣର ବିଷାକ୍ତ ଔଷଧ ଜବତ କରିବା ସହ ତାଙ୍କ ପତ୍ନୀ ଏବଂ ଦୁଇ ପୁଅକୁ ଗିରଫ କରଛି, ସେ
କହିଛନ୍ତି ।

ସଦର ଥାନା ଅନ୍ତର୍ଗତ ଟୁକୁଲିପଡ଼ା ଗ୍ରାମର ବାଇଧର ଦୀର୍ଘଦିନ ହେଲା ଏହି କାରବାର କରିଆସୁଥିଲେ । ସୋମବାର ରାତିରେ ଆଖପାଖ ଅଞ୍ଚଳ ସମେତ ଓଲଟପୁରର କେତେକ ଶ୍ରମିକ ତାଙ୍କ ଠାରୁ ଏହା ପିଇଥିଲେ ।

ଏହା ପିଇବା ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଆଖିକୁ ଦେଖା
ଯଇନଥିଲା । ଅସୁସ୍ଥ ପରେ ପରିବାର ଲୋକମାନେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସମେତ ଅନ୍ୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version