Site icon Odisha.com

ଔଷଧ, ମଦ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବିଷାକ୍ତ ଔଷଧ ଓ ମଦ ଜନିତ ମୃତ୍ୟୁ ସଂଖ୍ୟା ବୁଧବାର ୨୯କୁ ବୃଦ୍ଧି ପାଇଥିବା ବେଳେ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଘୋଷଣା କରିଛନ୍ତି ।

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଧରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଏହି ମୃତ ବ୍ୟକ୍ତିମାନେ କାଶ ଏବଂ ଥଣ୍ଡା ପାଇଁ ବ୍ୟବହାର କରାଯାଉଥିବା ଔଷଧ ବିଭିନ୍ନ ଦୋକାନରୁ କିଣି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ।

ଔଷଧ ମଧ୍ୟରୁ ଗୋଟିଏ” ଜିଞ୍ଜର ଟିଙ୍ଗଚର’ ବୋଲି ଜାଣାଯାଇଛି, ଜିଲ୍ଲାପାଳ ଏସ୍.ଏନ୍.ଗିରୀଶ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି । ଏହି ଔଷଧ ବିକ୍ରୀ କରୁଥିବା ବାଇଧର ଭୋଇଙ୍କର ମଧ୍ୟ ଗତକାଲି ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ଏହି ଔଷଧ ଅଧିକ ଆଲ୍କହଲ ଯୁକ୍ତ ହୋଇଯାଇଥିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିଙ୍କ ତିନି ଜଣ ସଂପର୍କୀୟ ମଧ୍ୟ ଅଛନ୍ତି, ଅବକାରୀ କମିଶନର ସୁଦର୍ଶନ ନାୟକ କହିଛନ୍ତି ।

ତେବେ ଏହି ଘଟଣା ପରେ ଭୁବନେଶ୍ୱର ସ୍ଥିତ ଔଷଧ କାରଖାନା ଉପରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ସିଲ୍ କରିେଇଛନ୍ତି ।

ବାଇଧରଙ୍କ ଘର ଉପରେ ଚଢାଉ କରି ପୋଲିସ ବିପୁଳ ପରିମାଣର ଏହି ଔଷଧ ଜବତ କରିବା ସହ ତାଙ୍କ ପତ୍ନୀ ଏବଂ ଦୁଇ ପୁଅକୁ ଗିରଫ କରିଛି । ୨୦ରୁ ଉଦ୍ଧ୍ୱର୍ ଲୋକ ବର୍ତମାନ ମଧ୍ୟ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version