ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ବିଷାକ୍ତ ଔଷଧ ଓ ମଦ ଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ୩୩କୁ ବୃଦ୍ଧି ପାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ମଙ୍ଗଳବାର ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତି ସୁଦ୍ଧା ଆଉ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଅନ୍ୟ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତମାନ ସୁଦ୍ଧା ମଧ୍ୟ କଟକ ଡ଼ାକ୍ତରଖାନରେ ୭୦ରୁ ଉଦ୍ଧ୍ୱର୍ ଲୋକ ଚିକିତ୍ସିତ ହେଉଛନ୍ତି ।
କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଏହି ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ ଲଗାଇବା ପାଇଁ ବ୍ୟବହାର କରାଯାଉଥିବା “ଇପିକାରମ୍’ ଓ “ସିନେମନ୍’ ନାମକ ଔଷଧ କିଣି ଖାଇବା ପରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିଲେ ।
ଔଷଧ ବିକ୍ରୀ କରୁଥିବା ବାଇଧର ଭୋଇର ମଙ୍ଗଳବାର ସକାଳେ ପ୍ରଥମେ ମୃତ୍ୟୁ ହୋଇଥିଲା । ବିଭିନ୍ନ ଅଂଚଳର ଲୋକମାନେ ମଧ୍ୟ ସୋମବାର ରାତିରେ କଟକ ଜିଲ୍ଲାର ଟୁକୁଲିଆପଡ଼ା ଯାଇ ଏହି ଔଷଧ କିଣି ପିଇଥିଲେ ।
ଉଭୟ ଜିଲ୍ଲାର ଅନ୍ୟ ଦୋକାନରୁ ମଧ୍ୟ ସେହି ସମାନ ଔଷଧ କିଣି ପିଇବା ପରେ ଇଟାଭାଟି ଶ୍ରମିକଙ୍କ ସମେତ ଅନ୍ୟମାନେ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ ।
ଅନ୍ୟ କୌଣସି ଦୋକାନରେ ଏହି ଔଷଧ ଉପଲବ୍ଧ ହେଉଛି କି ନାହିଁ ଜାଣିବା ପାଇଁ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଏଭଳି ଔଷଧ ଯୋଗାଇବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତଦୁଇଟି ଔଷଧ ତିଆରି କାରଖାନାକୁ ସିଲ୍ କରିିଆଯାଇଛି ।
ପୋଲିସ ଏହି ଘଟଣାରେଦୁଇଟି ମାମଲା ରୁଜୁ କରିବା ସହ ଔଷଧ କାରଖାନାର ସାତ ଜଣଙ୍କ ସହ ଦଶ ଜଣଙ୍କୁ ଗିରଫ କରିଛି ।
ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ କମିଶନ ଏହି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ତେବେ ବୁଧବାର ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା କରି ଡ଼ାକ୍ତରଖାନାରେ ଥିବା ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍