Site icon Odisha.com

ଔଷଧ,ମଦ ମୃତ୍ୟୁ ଘଟଣାରେ ଅନଙ୍ଗଙ୍କ ଇସ୍ତଫା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ,ମଦ ମୃତ୍ୟୁ ଘଟଣାରେ ରାଜ୍ୟ ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଗୁରୁବାର ଇସ୍ତଫା ଦେଇଛନ୍ତି ।

ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇେଇଥିବା ବେଳେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ।

ଔଷଧ,ମଦ ମୃତ୍ୟୁ ଘଟଣାରେ ବର୍ତମାନ ସୁଦ୍ଧା ୩୦ ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ୧୩ ଜଣଙ୍କୁ
ମୃତ୍ୟୁ ହୋଇଥିବା ବେଳେ ବୁଧବାର ୧୭ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ମଧ୍ୟ ୫୦ରୁ ଉର୍ଦ୍ଧ୍ଵ ଲୋକ
କଟକ ଡ଼ାକ୍ତରଖାନାରେ ଚିକିତ୍ସି ହେଉଛନ୍ତି ।

ପୋଲିସ ଏହି ଘଟଣାରେ ଦଶ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ
ଘୋଷଣା କରିଛନ୍ତି ।

ଏହି ଘଟଣା ପରେ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ
ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୧୯୭୪ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ପାର୍ଟିରୁ ଲୋକସିଂହା ବିଧାୟକ ଭାବେ ନିର୍ବାଚିତ ହୋଇଥିବା
ସିଂହଦେଓ ୧୯୭୬ରେ ଜଙ୍ଗଲ, ମତ୍ସ୍ୟା ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୧୯୯୧ରୁ ୯୫ ପର୍ଯ୍ୟନ୍ତ ଜନତା ଦଳରୁ ବଲାଙ୍ଗୀର ବିଧାୟକ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ
ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ପରେ ୧୯୯୫ରୁ ୨୦୦୦
ପର୍ଯ୍ୟନ୍ତ ମଧ୍ୟ ବିଧାୟକ ହୋଇଥିଲେ ।

୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଶକ୍ତି, ଇସ୍ପାତ ଓ ଖଣି, ପର୍ଯ୍ୟଟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ପୂର୍ତ ବିଭାଗ ମନ୍ତ୍ରୀ ଏବଂ ୨୦୦୯ରେ ସେ ପ୍ରଥମେ ଯୋଜନା ଓ ସମନ୍ୱୟ, ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମୟରେ ସାଧାରଣ ଉଦ୍ୟୋଗ ବିଭାଗ ତାଙ୍କ ଠାରୁ କାଢି ନିଆଯାଇଥିଲା ଏବଂ ୨୦୧୧ ମଇ ୧୦ରୁ ଯୋଜନା ସମନ୍ୱୟ ସହ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version