Site icon Odisha.com

ନିର୍ବାଚନ ପାଇଁ ମନ୍ଦିରରେ ପ୍ରାର୍ଥୀଙ୍କ ପୂଜାର୍ଚ୍ଚନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶନିବାର ହେଉଥିବାରୁ ଶୁକ୍ରବାର ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଅନେକ ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବା ପାଇଁ ଜ୍ୟୋତିଷଙ୍କ ପାଖକୁ ମଧ୍ୟ ଯାଇଥିବା ଦେଖିବାକୁ ମିଳିଛି ।

ନିର୍ବାଚନ ପ୍ରଚାର ପୂର୍ବରୁ ମଧ୍ୟ ବହୁ ସରପଞ୍ଚ, ଜିଲ୍ଲାପରିଷଦ, ସମିତି ସଭ୍ୟ ପ୍ରାର୍ଥୀମାନେ କନକପୁର ନିକଟରେ ଥିବା ମାଁ ଶାରଳା ମନ୍ଦିରରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।

ଏହି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ ଭୋଟରମାନେ ବର୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ କନକପ୍ରଭା ଲେଙ୍କା, ପୂର୍ବତନ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦାସ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଜଗତସିଂହପୁରର ୪୮୭ଟି ଏବଂ ବିରିଡ଼ି ବ୍ଲକର ୩୩୯ଟି ବୁଥ୍ ରେ ଭୋଟ୍ ଗ୍ରହଣ ହେବ ।

ନିର୍ବାଚନରେ ବିଜୟୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପରିଷଦ, ସରପଞ୍ଚ ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀ ଆଜି ମନ୍ଦିରରେ ପୂଜା କରିଛନ୍ତି, ସାରଳା ମନ୍ଦିର ପୂଜକ କହିଛନ୍ତି ।

ପ୍ରାର୍ଥୀମାନେ ପୂଜା କରିବା ପାଇଁ ଭୋର ସକାଳୁ ମନ୍ଦିରକୁ ଆସିବେ । ତେଣୁ ଫୁଲ ଦୋକାନମାନେ ମଧ୍ୟ ବିଭିନ୍ନ ପ୍ରକାର ଫୁଲ ମହଜୁଦ ରଖିଛନ୍ତି ।

ର୍ନିବାଚନରେ ବିଜୟୀ ହେଲେ ମନ୍ଦିରରେ ପୂଜା କରିବା ପାଇଁ ମଧ୍ୟ ପ୍ରାର୍ଥୀମାନେ ସ୍ଥିର କରିଛନ୍ତି । ତେବେ ଏହି ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ହାତ ଦେଖି ସେମାନଙ୍କ ହାରିବା ଜିତିବା ଜଣାଉଥିବାରୁ ଜ୍ୟୋତିଷମାନେ ମଧ୍ୟ ଭଲ ରୋଜଗାର କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version