Site icon Odisha.com

ଭଦ୍ରକ: ଖାଉଟି ଅଦାଲତରେ ଦୁଇ ଡ଼ାକ୍ତର ଦଣ୍ଡିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟଣାର ବିଚାର କରି ଭଦ୍ରକ ଖାଉଟି ଅଦାଲତ ସଂପୃକ୍ତଦୁଇଜଣ ଡ଼ାକ୍ତର ତଥା ଘରୋଇ ନର୍ସିଂହୋମର ମାଲିକଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗ୍ରାମାଂଚଳ ଥାନା ଅର୍ନ୍ତଗତ କେଶପୁର ଗୋପାଳବିନ୍ଧା ଗ୍ରାମର ଭକ୍ତ ଅମୀୟ ତ୍ରିପାଠୀ ନିଜ ପତ୍ନୀ ମମତାଙ୍କୁ ସମରାଇପୁରସ୍ଥିତ ସାଇ ହସ୍ପିଟାଲରେ ଜରାୟୁ ଅପରେସନ ପାଇଁ ଦାଖିଲ କରିଥିଲେ ।

ସରକାରୀ ଚାକିରୀ କରି ମଧ୍ୟ ଉକ୍ତ ହସ୍ପିଟାଲରେଦୁଇଜଣ କର୍ତବ୍ୟରତ ଡ଼ାକ୍ତର ଡ଼ା.ବିଭୂତି ଭୂଷଣ ନାୟକ ଓ ଡ଼ା.ଅମିତା ଦାସ ଅସ୍ତ୍ରୋପଚାର କରିଥିଲେ । ମାତ୍ର ସଂପୃକ୍ତ ଦୁଇ ଡ଼ାକ୍ତର ରୋଗୀର ଅପରେସନ ପୂର୍ବରୁ କୌଣସି ପ୍ରକାର ପରୀକ୍ଷା ନିରୀକ୍ଷା ନକରି କିମ୍ବା ଅମୀୟଙ୍କୁ ନଜଣାଇ ଅସ୍ତ୍ରୋପଚାର କରିଥିଲେ ।

ମମତାଙ୍କ ଡ଼ିସଚାର୍ଜ ଟିକେଟରେ ମଧ୍ୟ ଅସ୍ତ୍ରୋପଚାରର ପ୍ରକାରଭେଦ ସଂପର୍କରେ କୌଣସି ପ୍ରକାର ଉଲ୍ଲେଖ ନକରି ରୋଗୀର ଅବସ୍ଥା ସନ୍ତୋଷଜନକ ବୋଲି ଉଲେଖ କରିଥିଲେ ।

ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିବାରୁ ଏହା କ୍ରମେ କର୍କଟ ରୋଗରେ ପରିଣତ ହୋଇଥିଲା । ମାତ୍ର ରୋଗୀଙ୍କ ଯନ୍ତ୍ରଣା କ୍ରମେ ଅସହ୍ୟ ହେବାରୁ ଅମୀୟ ନିଜ ପତ୍ନୀଙ୍କୁ ଧରି ବାରମ୍ବାର ହସ୍ପିଟାଲକୁ ଆସିଥିଲେ ମଧ୍ୟ ଡ଼ାକ୍ତରଦ୍ୱୟ କୌଣସି ଅଧିକ ପରୀକ୍ଷା ନିରୀକ୍ଷା ନକରି ଡ଼ାକ୍ତରୀ ଚିଠା ଲେଖି ରୋଗୀକୁ ଫେରାଇ ଦେଉଥିଲେ ।

ପ୍ରଥମେ ଅମୀୟ ପତ୍ନୀଙ୍କୁ ନେଇ ଆଚାର୍ଯ୍ୟ ହରିହର କ୍ୟାନସର ଇନ୍ଷ୍ଟିଚ୍ୟୁଟ୍ରେ କର୍କଟରୋଗ ବିଶେଷଜ୍ଞ କୃପାସିନ୍ଧୁ ପଣ୍ଡାଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୋଇଥିଲେ ମଧ୍ୟ ମମତା ୨୦୧୧ ମେ ମାସ ୫ତାରିଖ ମୃତ୍ୟୁବରଣ କରିଥିଲେ ।

ଏଡି ଘଟଣା ପରେ ସେ ସାଇ ହସ୍ପିଟାଲର ମାଲିକ ଯୁଧିଷ୍ଟିର ନାୟକ ଓ ଦୁଇ ଡ଼ାକ୍ତରଙ୍କୁ ପକ୍ଷଭୁକ୍ତ କରି ଖାଉଟି ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ଉଭୟପକ୍ଷଙ୍କ ସମସ୍ତ ରେକର୍ଡ଼ ତଦାରଖ କରିବାପରେ ଅଦାଲତ ଡ଼ାକ୍ତରଙ୍କ ଦାୟୀତ୍ୱହୀନତାକୁ ଦାୟୀ କରି ଉପରୋକ୍ତ ତିନିଜଣଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ବ୍ୟତୀତ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୩ହଜାର ଟଙ୍କା ଏବଂ ଅନାଦେୟ ୧୨ପ୍ରତିଶତ ସୁଧହାରରେ ଅଭିଯୋଗକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version