Site icon Odisha.com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିବୁଧେନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଚିକିତ୍ସିତ ହେଉଥିବା ଅବସ୍ଥାରେ ବୁଧବାର ସଂଧ୍ୟାରେ ପ୍ରାଇମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି ।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ସହରରେ ଶୋକର ଛୟା ଖେଳିଯାଇଥିଲା । ହାଇକୋର୍ଟ ମୁଖ୍ୟ
ବିଚାରପତି, ଜିଲ୍ଲାପାଳ, ଆଇନଜୀବୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।

ପୁରୀ କୁଣ୍ଢେଇବେଣ୍ଟ ସାହିର ଗୋପୀନାଥ ମିଶ୍ର ଓ ମୁକ୍ତାବାଳା ଦେବୀଙ୍କ ସୁପୁତ୍ର ବିବୁଧେନ୍ଦ୍ର ୧୯୨୦ ନଭେମ୍ବର ୩୦ରେ ଜନ୍ମଗ୍ରହଣ କରିଥିଲେ ।

୧୯୩୬ରେ ପୁରୀ ଜିଲ୍ଲା ସ୍କୁଲରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ ରେଭେନ୍ସା କଲେଜରୁ ୧୯୪୧
ମସିହାରେ ବି.ଏ ଓ ୧୯୪୯ ମସିହାରେ ପାଟନା ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ
କରିଥିଲେ ।

୧୯୪୬ରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜର ଥଇଥାନ
କମିଟିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୫୪ରୁ ୧୯୬୩ ପର୍ଯ୍ୟନ୍ତ ସେ ଉତ୍କଳ
ବିଶ୍ୱବିଦ୍ୟାଳୟର ସିନେଟ୍, ସିଣ୍ଡିକେଟ୍ ଓ ଏକାଡ଼େମୀ କାଉନ୍ସିଲ୍ ର ସଦସ୍ୟ ହୋଇଥିଲେ ।

୧୯୫୮ରେ ସେ ପ୍ରଥମଥର ପାଇଁ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ । ୧୯୬୭ରେ ପୁରୀ
ଲୋକସଭା ଆସନରୁ ନିର୍ବଚିତ ହୋଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆଇନ
ଉପମନ୍ତ୍ରୀ ହୋଇଥିଲେ ।

ଏହାବ୍ୟତୀତ ଆମ ନେତା ସିରିଜ, ଖିଆଲି, ଅସମାପ୍ତ, ଜେଲ୍ ୧୯୪୨ ଆଦି ଅନେକ ପୁସ୍ତକ ଲେଖି
ଖ୍ୟାତି ଅର୍ଜନ କରିଥିଲେ ।

ସେଦୁଇଥର ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ୨୦୦୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।

ମିଶ୍ରଙ୍କ ପରଲୋକରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version