Site icon Odisha.com

ନୂଆ ରୂପରେ ଭିତରକନିକା ହଣ୍ଟି ଟାୱାର

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଥିବା ବହୁ ପୁରାତନ ହଣ୍ଟି ଟାୱାରକୁ ନୂଆ ରୂପ ଦିଆଯାଇଛି ।

“ଜଙ୍ଗଲ ମଧ୍ୟରେ ଥିବା ଏହି ହଣ୍ଟି ଟାୱାରକୁ ନୂଆ ରୂପ ଦିଆଯାଇଥିବାରୁ ଆମେ ବହୁତ ଖୁସି । ଏଠାକୁ ଆସିବାକୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି । ଯେଉଁମାନେ ଏହା ଉପରେ ଚଢି ପାରିବେ ସେମାନେ ପ୍ରାୟ
୫୦ ଫୁଟ୍ ଉଚ୍ଚକୁ ମଧ୍ୟ ଯାଇ ଆନନ୍ଦ ଉଠାଇ ପାରିବେ” ଭିତରକନିକା ଜାତୀୟ ଉଦ୍ୟାନର ଜଙ୍ଗଲ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି ।

କୁମ୍ଭୀର, ଭାଲୁ, ହରିଣ ଆଦି ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ୧୯୨୦ରେ ରାଜନଗର ରାଜା ରାଜେନ୍ଦ୍ର
ନାରାୟଣ ଭଞ୍ଜଦେଓ ଏହି ଟାୱାରକୁ ତିଆରି କରିଥିଲେ । ଗୋଟିଏ ବଡ଼ ପୋଖରୀ ନିକଟରେ ଏହା ଅବସ୍ଥିତ ଏବଂ ଏହାର ଚତୁପାଶ୍ୱର୍ରେ ୨୦ ଏକର ପଡ଼ିଆ ରହିଛି ।

ତେବେ ସଂଧ୍ୟା ସମୟରେ ବନ୍ୟ ଜନ୍ତୁମାନେ ପୋଖରୀରୁ ପାଣି ପିଇ ପଡ଼ିଆରେ ଚରାବୁଲା କରିଥାନ୍ତି । କୁମ୍ଭୀରମାନେ ମଧ୍ୟ ପୋଖରୀ କୂଳରେ ରହିଥାନ୍ତି ଫଳରେ ରାଜାଙ୍କ ପରିବାର ଲୋକମାନେ ଟାୱାରରେ ଥିବା ୨୪ଟି କଣାରୁ ସେମାନ ଗୁଳି କରିଥାନ୍ତି ।

କିନ୍ତୁ ବର୍ତମାନ ପର୍ଯ୍ୟଟକମାନେ ଟାୱାରରେ ଥିବା କଣା ସାହାଯ୍ୟରେ ପଶୁପକ୍ଷୀଙ୍କୁ ଦେଖୁଛନ୍ତି । ସମଗ୍ର ରାଜ୍ୟରେ କେବଳ ଏହା ଗୋଟିଏ ସୁଟିଂ ଟାୱାର ରହିଛି ବୋଲି ସେ କହିଛନ୍ତି ।

“ରାଜ ପରିବାରର ଲୋକମାନେ ଶିକାରୀ ଥିବା ଏହି ଟାୱାରରୁ ଜଣାପଡ଼ୁଛି । ପୂର୍ବରୁ ଟାୱାରଟି ଭଗ୍ନ ଅବସ୍ଥାରେ ଥିବାରୁ ପର୍ଯ୍ୟଟକମାନେ ଏଥିପ୍ରତି ଧ୍ୟାନ ଦେଉନଥିଲେ । ବର୍ତମାନ ଏହାକୁ ନୂଆ ରୂପ ଦିଆଯାଇଥିବାରୁ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ” ସେ କହିଛନ୍ତି ।

ଓଡ଼ିଶଶ ଡ଼ଟ୍ କମ୍

Exit mobile version