Site icon Odisha.com

ବହୁଭାଷାରେ ଡ଼ିଟିପି କରି ଲିମ୍କା ବୁକ୍ରେ ଓଡ଼ିଆ ଯୁବକ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଏକ ଶିଶୁ ପତ୍ରିକା ପାଇଁ ୬୦ଟି ଭାଷାରେ ଡ଼ିଟିପି କରି ଲିମ୍କା ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ସନ୍ଦୀପ ପାତ୍ର ।

ସରକାରଙ୍କ ନିୟନ୍ତ୍ରିତ ବଜାର କମିଟିରେ କମ୍ପ୍ୟୁଟର ଆସିଷ୍ଟାନ୍ଟ୍ ଭାବେ କାର୍ଯ୍ୟ କରୁଥିବା ପାଣିଶାଳିଆ ଗ୍ରାମର ଏହି ୨୭ ବର୍ଷ ବୟସ୍କ ଯୁବକ ନିଜର ପରିଶ୍ରମ, ଏକାଗ୍ରତା ଏବଂ ଅଧ୍ୟବସାୟ ବଳରେ ସଫଳତା ପାଇପାରିଛନ୍ତି ।

ସମଗ୍ର ଭାତର ବର୍ଷରେ ଏଭଳି କୌଣସି କମ୍ପ୍ୟୁଟର ଅପରେଟର ନାହାନ୍ତି ଯିଏକି ୬୦ଟି ଭାଷାରେ ଏକ ପତ୍ରିକା ପାଇଁ ଡ଼ିଟିପି କରିଛନ୍ତି, କିନ୍ତୁ ସନ୍ଦିପ ଏହା କରି ଦେଖାଇଛନ୍ତି ।

ଲିମ୍କା ବୁକ୍ରେ ସ୍ଥାନିତ ହୋଇଥିବା ୬୦ଟି ଜାତୀୟ ଏବଂ ଆଂଚଳିତ ଭାଷାରେ ପ୍ରକାଶିତ ଶିଶୁ ପତ୍ରିକା “ସୁନା ଭଉଣୀ’ ପାଇଁ ସେ ଡ଼ିଟିପି କରିଛନ୍ତି ।

ଏହି କାର୍ଯ୍ୟ ପାଇଁ ଲିମ୍କା ବୁକ୍ର ସଂପାଦକ ବିଜୟ ଘୋଷ ସନ୍ଦୀପଙ୍କୁ ପୁରସ୍କୃତ କରିଥିବା ବେଳେ ତାଙ୍କ ନାଁ ୨୦୧୨ ଲିମ୍କା ବୁକ୍ରେ ସ୍ଥାନିତ ହୋଇଛି ।

କମ୍ପୁଟର ଆପ୍ଲିକେଶନରେ ସ୍ନାତକୋତ୍ତର କରିଥିବା ଏହି ଯୁବକ ଉକ୍ତ ପତ୍ରିକାକୁ ୨୫୦ଟି ଭାଷାରେ ଲେଖି ଶିଶୁଙ୍କ ସମେତ ଅନ୍ତର୍ଜାତୀୟ ସ୍ତରରେ କମ୍ପ୍ୟୁଟର ବ୍ୟବହାର କରୁଥିବା ଲୋକଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛନ୍ତି ।

ଗତ ଦଶ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ପିଲାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଏହା ଶିଶୁଙ୍କ ପ୍ରତି ଥିବା ତାଙ୍କ ସ୍ନେହର ପରିପ୍ରକାଶ କରିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ବର୍ତମାନ ସେ ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ଗୁରୁରାଟୀ, ତେଲୁଗୁ, ସଂସ୍କୃତ, କନ୍ନଡ଼, ଉର୍ଦ୍ଦୁ, ତାମିଲ, ସିନ୍ଧି, ପଞ୍ଜବୀ, ମରାଠି, ସାନ୍ତାଲି, ମାଲାୟାଲମ୍, ନେପାଳୀ, ମଣିପୁରୀ, କୋଙ୍କଣୀ, ଡ଼ୋଗରୀ, କୁଇ, ଭୋଜପୁରୀ, କଶ୍ମିରୀ ଏବଂ ଅନ୍ୟ ଭାଷାରେ ଡ଼ିଟିପି କରୁଛନ୍ତି ।

ଏହି ଭାଷା ଗୁଡ଼ିକ ଜାଣିବା ପାଇଁ ସେ ବିଭିନ୍ନ ଶିଶୁ ପତ୍ରିକା, ବିଭିନ୍ନ ଭାଷାର ଲେଖକଙ୍କ ସହ ଯୋଗଯୋଗ କରି ଶିକ୍ଷାଲାଭ କରିଥିବା ସନ୍ଦୀପ କହିଛନ୍ତି । କେତେକ ଭାଷା ବିଷୟରେ ମୁଁ ଜାଣିଛି ତେଣୁ ଏହି କାର୍ଯ୍ୟ କରିପାରିଛି, ସେ କହିଛନ୍ତି ।

ଏହି ସଫଳତା ପଛରେ ସୁନା ଭଉଣୀ ଶିଶୁ ପତ୍ରିକାର ସଂପାଦକ ପାକନପୁରର ସ୍ୱର୍ଗତ ବିଜୟ କୁମାର ମହାପାତ୍ରଙ୍କ ହାତ ରହିଥିବା ସେ କହିଛନ୍ତି ।

“”୨୫୦ଟି ଭାଷାରେ ପତ୍ରିକାକୁ ପ୍ରକାଶ କରିବା ତାଙ୍କର ସ୍ୱପ୍ନ ଥିଲା କିନ୍ତୁ ତାହା ପୂରଣ ହୋଇପରିଲା ନାହିଁ , ତେଣୁ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ମୁଁ ଆଶା ରଖିଛି” ସନ୍ଦୀପ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

Exit mobile version