Site icon Odisha.com

କୃଷକଙ୍କ ସମସ୍ୟା ନେଇ ରାଷ୍ଟ୍ରପତିଙ୍କୁ ଜଣାଇଲେ ଚାଷୀ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଫେବୃୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କୃଷି ଏବଂ କୃଷକଙ୍କ ସମସ୍ୟା ସଂପର୍କରେ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କୁ ଅବଗତ କରାଇଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ଡ଼ୋଲାମଣି ସାହୁ ।

“”ଚାଷୀ ହେଉଛି ଦେଶର ମେରୁଦଣ୍ଡ ଏବଂ ମେରୁଦଣ୍ଡ ଦୁର୍ବଳ ହେଲେ ଶରୀର ଯେମିତି ଦୁର୍ବଳ ହୋଇଯାଏ ସେହିପରି ଚାଷୀକୂଳର ଆର୍ଥିକ ସମସ୍ୟା ବଢିଲେ ତାହା ଦେଶ ପାଇଁ କ୍ଷତିକାରକ” ସାହୁ ଗତ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ।

ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଓଡ଼ିଶା ତଥା ସମଗ୍ର ଦେଶରୁ ଜିଲ୍ଲାର ମାଲିପାଲି ଗ୍ରାମର ସାହୁ ଜଣେ ମାତ୍ର ଚାଷୀ ତାଙ୍କର ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ।

ସରକାରୀ କର୍ମଚାରୀ, ବିଧାୟକ ତଥା ସାଂସଦଙ୍କ ଭଳି ଚାଷୀଙ୍କୁ ମଧ୍ୟ ପେନ୍ସନ୍ ପ୍ରାନ କରାଯିବା ଉପରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଜାତୀୟ କୃଷି ଯୋଜନା ସମସ୍ତ ରାଜ୍ୟର କୃଷକ ମାନଙ୍କ ପାଇଁ ସର୍ବଭାରତୀୟ ସ୍ତରରେ ସମାନ କରାଯିବା, ରାଜ୍ୟର ସମସ୍ତ ରାଜସ୍ୱ ପଂଚାୟତ ଗୁଡ଼ିକୁ ସର୍ବେକ୍ଷଣ କରାଯାଇ କୃଷୀବୀମା ଯୋଜନାର ଏକକ ନିର୍ଦ୍ଧାରଣ କରାଯିବା ଉଚିତ୍ ବୋଲି ସେ କହିଥିଲେ ।

ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲା ସ୍ତରରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଚାଷୀମାନେ ପାଉ ନାହାନ୍ତି । ତେଣୁ ତାକୁ ମଧ୍ୟ ନୀତି ନିର୍ଦ୍ଧାରକମାନେ ବିଚାରକୁ ନେବା ଉଚିତ, ସେ କହିଛନ୍ତି ।

ଆଗାମୀଦିନରେ ଯୁବପୀଢିଙ୍କୁ କୃଷି ପ୍ରତି ଆକର୍ଷିତ କରାଯିବା ସହ କିପରି କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ହୋଇପାରିବ ସେ ସଂପର୍କରେ ପ୍ରଶିକ୍ଷଣ କିମ୍ବା ଗବେଷଣା ନିମନ୍ତେ ପ୍ରତି ରାଜ୍ୟରେ ଗବେଷଣା କେନ୍ଦ୍ର ଖୋଲିବା ଉପରେ ସେ ଆଲୋକପାତ କରିଥିଲେ ।

ଅଧିବେଶନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version