Site icon Odisha.com

ଟ୍ରେନ୍ ଚଳାଚଳ ଦାବିରେ ଆନ୍ଦୋଳନ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଜଗତସିଂହପୁର ଜିଲ୍ଲାର ହଜାର ହଜାର ଗ୍ରାମବାସୀମାନେ ସୋମବାର ବଡ଼ଖଣ୍ଡେଇ ଠାରେ ରେଳ ରୋକ କରିବା ସହ ଆନ୍ଦୋଳନ କରିଛନ୍ତି ।

ବରୁଣେଇ-ବଡ଼ଖଣ୍ଡେଇ ରେଳ ଗଣ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ୧୨ଟି ଦାବିରେ ଏହି ଲୋକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଚଳାଇଛନ୍ତି ।

ପୂର୍ବରୁ ବଡ଼ଖଣ୍ଡେଇ ଠାରେ ରେଳ ଷ୍ଟେସନ ଥିବାରୁ ବିରିଡ଼ି, ରଘୁନାଥପୁର, ଜଗତସିଂହପୁର ଆଦି ଅଞ୍ଚଳର ଲୋକମାନେ ଉପକୃତ ହେଉଥିଲେ ।

ସେହିପରି ୧୯୯୩ରୁ ସ୍ଥାନୀୟ ଲୋକମାନେ ଯାତ୍ରୀବାହି ଟ୍ରେନ୍ ରହଣି ଏବଂ ବରୁଣେଇ ଠାରେ ଫାଟକ କରିବା ପାଇଁ ଦାବି କରିଆସୁଥିଲେ ମଧ୍ୟ ରେଳ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଗତ ବର୍ଷ ଏହି ଲୋକମାନେ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ସ୍ଥିତ ରେଳବାଇ ଡ଼ିଏମ୍ ଆର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରେ ଜିଲ୍ଲା ପ୍ରଶାସନ ଏ ବିଷୟରେ ରେଳ କର୍ତୃପକ୍ଷଙ୍କ ସହ ଆଲୋଚନା ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଦାବି ପୂରଣ ନହେବାରୁ ସେମାନେ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ ।

ରେଳବାଇ ମୁଖ୍ୟ ମହାପ୍ରବନ୍ଧକ ଜିଲ୍ଲା ପ୍ରଶାସନ ତଥା ପୋଲିସ ସହ ଆଲୋଚନା କରି ଏହି ଘଟଣା ବିଷୟରେ ତିନି ମାସ ମଧ୍ୟରେ ତଦନ୍ତ କରିବାକୁ କହିଥିଲେ । କିନ୍ତୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ଦାବି ସଂପର୍କରେ କୌଣସି କାର୍ଯ୍ୟ କରାଯାଇନାହିଁ ।

ତେବେ ଲୋକମାନେ ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ ମଧ୍ୟ ରେଳ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କେହି ଘଟଣା ସ୍ଥଳକୁ ଯାଇନଥିଲେ । ଆନ୍ଦୋଳନ ଫଳରେ ଏହି ରେଳପଥ ଦେଇ ଯାଇଥିବା ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version