ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଔଷଧ ମଦ ମୃତ୍ୟୁ ସଂପର୍କରେ ଆଲୋଚନା ପାଇଁ ଆଗତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସୋମବାର ବିଧାନସଭା ବାରମ୍ବାର ମୁଲତବୀ ହୋଇଛି ।
ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଦାବି କରାଯାଇଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ଗୃହରେ ହଟ୍ଟଗୋଳ ଲାଗିରହିଥିଲା ।
ଆଲୋଚନା ପାଇଁ ବାଚସ୍ପତି ପ୍ରଦୀପ ଅମାତ ଅନୁମତି ନଦେବାରୁ ବିରୋଧୀ ସସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଟେବୁଲ ଉପରକୁ ଚଢି ଯାଇଥିଲେ ।
ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଏହି ଘଟଣା ଉପରେ ଆଲୋଚନା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ଅବକାରୀ ମନ୍ତ୍ରୀ ସାରା ନାୟକ ଦର୍ଶାଇଥିଲେ ।
“ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଗୃହରେ ଆଲୋଚନା ପାଇଁ ମୁଁ ଅନୁମତି ଦେଇପାରିବି ନାହିଁ” ବାଚସ୍ପତି କହିଥିଲେ ।
ଗୃହରେ ଏସଂପର୍କରେ ଆଲୋଚନା କରାଗଲେ ଏହା ବିଚାର ବିଭାଗୀୟ ତଦନ୍ତକୁ ପ୍ରଭାବିତ କରିବ ବୋଲି ଦର୍ଶାଇ ଅବକାରୀ ମନ୍ତ୍ରୀଙ୍କୁ ସମର୍ଥନ ଜଣାଇ ବିଧାୟକ ଦାମୋଦର ରାଉତ, ପ୍ରଦୀପ ମହାରଥୀ ପ୍ରଭାତ ବିଶ୍ୱାଳ ପ୍ରମୁଖ କହିଥିଲେ ।
ତେବେ ବିଭିନ୍ନ ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ପୂର୍ବରୁ ଗୃହରେ ଏହା ଉପରେ ଆଲୋଚନା ପାଇଁ ଅନୁମତି ଦିଆଯାଇଛି ବୋଲି ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଥିଲେ ।
ଓଡ଼ିଶା ଡ଼ଟ୍ କମ୍