Site icon Odisha.com

ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଅଧିକ ଅର୍ଥ ଆବଶ୍ୟକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଶିଶୁ ମାନଙ୍କ ସୁରକ୍ଷା ତଥା ବିକାଶ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି ।

ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ୍ ଜରିଆରେ ଅଧିକ ଅର୍ଥ ମଞ୍ଜୁର କରିବା ଉଚିତ୍ ବୋଲି କିଟ୍ ରୁରାଲ ମ୍ୟାନେଜମେଂଟ ସ୍କୁଲ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ଶିଶୁ ଥିବା ବେଳେ ସେମାନଙ୍କ ବିକାଶ ଓ ସୁରକ୍ଷା ପାଇଁ ୨୦୧୧ ଆର୍ଥିକ ବର୍ଷରେ ମାତ୍ର ୨.୪୦ ପ୍ରତିଶତ ଅର୍ଥ ବ୍ୟୟବରା କରାଯାଇଛି ବୋଲି ଆୟୋଜିତ କନ୍ସଲ୍ଟେସନ୍ ଅନ୍ ଚାଇଲ୍ଡ ବଜେଟିଂ ଶୀର୍ଷକ କାର୍ଯ୍ୟକ୍ରମରେ ସେମାନେ କହିଛନ୍ତି ।

ରାଜ୍ୟରେ ଏଥିପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ନଥିବା ବେଳେ ଶିଶୁ ଶିକ୍ଷା ଅଧିକାର ବର୍ତମାନ ସୁଦ୍ଧା ଫଳପ୍ରଦ ହୋଇ ପାରିନାହିଁ । ଏହି ସଫଳତା ପାଇଁ ଆସନ୍ତା ୧୧ ଓ ୧୨ତମ ପଂଚବାର୍ଷିକ ଯୋଜନାରେ ଜିଡିପିର ୬ ପ୍ରତିଶତ ଶିକ୍ଷାକ୍ଷେତ୍ରରେ ଏବଂ ୨.୯୩ ପ୍ରତିଶତ ମୌଳିକ ଶିକ୍ଷା
କ୍ଷେତ୍ରରେ ଅଧିକ ବ୍ୟୟ କରିବାକୁ ପଡ଼ିବ, ସେମାନେ କହିଛନ୍ତି ।

ବିପିଏଲ୍ ପରିବାରର ୨୬ ଲକ୍ଷ ଛାତ୍ରଛାତ୍ରୀ ମେଧାବୃତ୍ତି ଦେବା ଆବଶ୍ୟକ, ଏହା ବ୍ୟୟ ଅଟକଳଠାରୁ ୧୯.୫୦ କୋଟି ଟଙ୍କା ଅଧିକ । ଏହି କ୍ଷେତ୍ରରେ ରାଜ୍ୟର ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧ କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

ସେହିପରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ୬୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ବାବଦରେ ୮୭କୋଟି ଟଙ୍କା ଥିବା ବେଳେ ଆହୁରି ୨୬.୭୫ କୋଟି ଟଙ୍କାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଗତ ଚାରିବର୍ଷ ମଧ୍ୟରେ ରାଜ୍ୟ ବଜେଟ୍ରେ ବୃଦ୍ଧି ପାଇଛି ବୋଲି ସେମାନେ କହିଛନ୍ତି ।

ଏହି ଅବସରରେ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା, ପ୍ରଫେସର ଶୈଳବାଳା ଦେବୀ , ରାଜ୍ୟ
ଶିଶୁ ଅଧିକାର କମିଶନ୍ର ଅଧ୍ୟକ୍ଷା ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ, ବିଧାୟକ ପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ନିଜନିଜର ମତ ପ୍ରକାଶ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version