Site icon Odisha.com

ନୂଆଗାଁ ଅଞ୍ଚଳରେ ପୋସ୍କୋ ସେମିନାର ବନ୍ଦ କରିବାକୁ ଦାବି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ସ୍ଥାନୀୟ ଲୋକଙ୍କ ଦାବି ପୂରଣ ବିନା ସଂପୃକ୍ତ ଅଞ୍ଚଳରେ ପୋସ୍କୋ ପକ୍ଷରୁ ହେବାକୁ ଥିବା ସେମିନାର ବନ୍ଦ କରିବାକୁ ଦାବି ହୋଇଛି ।

ଦାବି ପୂରଣ ହୋଇନଥିବାରୁ ସେଠାରେ କାର୍ଯ୍ୟକ୍ରମ କରାଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଂକା କରି ନୂଆଗାଁର ନବନିର୍ବାଚିତ ଲୋକ ପ୍ରତିନିଧିମାନେ ଏନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ।

ସଂପୂର୍ଣ୍ଣ ଭାବରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ଶେଷ ହୋଇନଥିବାରୁ ପରିସ୍ଥିତି ଏବେବି ଉତ୍ତେଜନା ପୂର୍ଣ୍ଣ ରହିଛି । କମ୍ପାନୀ କର୍ତୃପକ୍ଷଙ୍କୁ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନଦେବାକୁ ନୂଆଗାଁ ସରପଞ୍ଚ ଅଞ୍ଜଳି ପ୍ରଧାନ ଓ ସମିତି ସଭ୍ୟା ସୌଦାମିନୀ ନାୟକ କହିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ କାର୍ଯ୍ୟକ୍ରମ କରିବା ନେଇ କଟକଣା ଜାରି କରାଯାଇଛି ।

ଆସନ୍ତା ମାର୍ଚ୍ଚ ୧ରେ କମ୍ପାନୀ ନୂଆଗାଁ ପଞ୍ଚାୟତରେ ଥିବା କାର୍ଯ୍ୟାଳୟ ନିକଟରେ”ସେମିନାର ଅନ୍ ଇଂଜିନିୟରିଂ ସର୍ଭିସ ଇନ୍ ପୋସ୍କୋ ଷ୍ଟିଲ” କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।

ଏହି ସେମିନାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଇଡ଼୍କୋ ତଥା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାକୁ କହିଛନ୍ତି । ଏହାସହ ଦକ୍ଷିଣକୋରିଆ ଏବଂ ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ଜଣ ପ୍ରତିନିଧି ଯୋଗ ଦେବେ ।

ପୋସ୍କୋ ଇସ୍ପାତ ପ୍ରକଳ୍ପରେ ଇଂଜିନିୟରିଂ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ସେମିନାର ଉଦ୍ଦେଶ୍ୟ । ତେଣୁ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଶିଳ୍ପାନୁଷ୍ଠାନର ଇଂଜିନିୟରମାନେ ଯୋଗ ଦେବେ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ଏବଂ ଏଥିପାଇଁ ପୋଲିସ ଠାରୁ ଅନୁମତି ଲୋଡ଼ା ଯାଇଛି, ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ପୂର୍ବରୁ କମ୍ପାନୀ କର୍ତୃପକ୍ଷ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିନଥିବାରୁ ପୋସ୍କୋ ସପକ୍ଷବାଦୀ ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ସମାଲୋଚନା କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version