Site icon Odisha.com

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଔଷଧ ଓ ମଦ ମୃତ୍ୟୁ ନେଇ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପରେ ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯାୟ ବୁଧବାର ଶେଷ ହୋଇଛି ।

ଚଳିତ ମାସ ୨୧ ତାରିଖରେ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ମାର୍ଚ୍ଚ ୧୪ ତାରିଖରେ ଅଧିବେଶନର
ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ୧୩ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଡାବି ଉପରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଗୁଡ଼ିକ ସମୀକ୍ଷା କରିବେ ।

ମାର୍ଚ୍ଚ ୧୪ ତାରିଖରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରିବେ ଏବଂ ଏହି ଅଧିବେଶନ ଅପ୍ରେଲ ୭ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

ମାର୍ଚ୍ଚ ୧୫ରୁ ୩୦ ତାରିଖ ମଧ୍ୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ ।

ଔଷଧ ମଦ ମୃତ୍ୟୁ ଘଟଣା ପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରି ବିରୋଧୀ ଦଳ ଦେଇଥିବା
ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବାପରେ ଗତ ଦୁଇଦିନ ଧରି ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ବୁଧବାର ବିରୋଧୀଦଳ ଦେଇଥିବା ମୁଲତବୀ ପ୍ରସ୍ତାବର ଶିରୋନାମା ପରିବର୍ତନ କରି ‘ସରକାରଙ୍କ
ଅବକାରୀ ନୀତି ଓ କାରନାମା’ ଶୀର୍ଷକରେ ଏକ ସଂଶୋଧିତ ମୁଲତବୀ ପ୍ରସ୍ତାବ ଆଣିଥିଲେ ।

ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ମୁଲତବି ପ୍ରସ୍ତାବ ଉପରେ ବାଚସ୍ପତି କି ପକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ନିଷ୍ପତି ହୋଇଥିବା ବାଚସ୍ପତି ଜଣାଇବା ପରେ ଗୃହରେ ଅସ୍ୱାଭାବିକ ପରିସ୍ଥିତି ହୋଇନଥିଲା ।

ବିରୋଧୀ ଦଳ ସମସ୍ତ ସଦସ୍ୟ ଆଲୋଚନାରେ ଭାଗ ନେଇଥିଲେ । ପରେ ଆଲୋଚନା ସମୟରେ ଅବକାରୀ
ମନ୍ତ୍ରୀ ଦେଇଥିବା ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version