Site icon Odisha.com

୧୯ ଜିଲ୍ଲାର ୧୩୧୮୮ ଗ୍ରାମ ମରୁଡ଼ିଗ୍ରସ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ସ୍ୱଳ୍ପ ବୃଷ୍ଟି ଯୋଗୁଁ ରାଜ୍ୟର ୨୦ଟି ଜିଲ୍ଲାର ୧୩୪ଟି ବ୍ଳକ ଓ ୩୪ଟି ପୌରାଂଚଳ ଅନ୍ତର୍ଗତ ୧୩,୨୧୪ଟି ଗ୍ରାମ ମରୁଡି ଦ୍ୱାରାକ୍ଷତିଗ୍ରସ୍ତ ହୋଇଥିବା ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ।

ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମିଳିବା ପରେ ଏହି ତଥ୍ୟ ଜଣାପଡ଼ିଥିବା ବେଳେ ଆଠଗଡ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାରୁ ସରକାର ୧୯ଟି ଜିଲ୍ଲାର ୧୩୩ଟି ବ୍ଳକ ଓ ୩୪ଟି ପୌରାଂଚଳର ୧୩,୧୮୮ ଗ୍ରାମ ଓ ୧୫୬ଟି ୱାର୍ଡକୁ ମରୁଡି ଘୋଷଣା କରିଛନ୍ତି ।

ମରୁଡି ହେବା ପରେ ଜିଲ୍ଲାପାଳ ମାନଙ୍କୁ ଫସଲ କଟା ରିପୋର୍ଟ ଦେବାକୁ କୁହାଯାଇଥିଲା ଏବଂ ସେମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ଏହି ଘୋଷଣା କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ଘୋଷଣା ଅନୁଯାୟୀ ୫୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ଅଂଚଳର ଚାଷୀମାନଙ୍କୁ କୃଷି ସହାୟତା ଦିଆଯିବ । ଜଳସେଚିତ ଜମି ପାଇଁ ୬ ହଜାର ଟଙ୍କା, ଅଣ ଜଳସେଚିତ ଜମି ପାଇଁ ୩ ହଜାର ଟଙ୍କା ଏବଂ ବାରମାସୀ ଫସଲ ପାଇଁ ୫ ହଜାର ଟଙ୍କା ସହାୟତା ମିଳିବ ।

ଚାଷୀ ମାନଙ୍କ ଠାରୁ ଚଳିତ ବର୍ଷ ଜଳକର ଆଦାୟ ନକରିବାକୁ ତହସିଲାର ଓ ରାଜସ୍ୱ ନୀରୀକ୍ଷକଙ୍କୁ କୁହାଯାଇଥିବା ବେଳେ ଜଳକର ଓ ସେସ୍ର ୫୦ ପ୍ରତିଶତ ଛାଡ୍ କରିବାକୁ ନିଷ୍ପତି ନିଆଯାଇଛି ।ଅନାଦେୟ ଜଳକର ଓ ସେସ୍ ଆସନ୍ତା ବର୍ଷ ବିନା ସୁଧରେ ଆଦାୟ ହେବ ।

ସେହିପରି ମରୁଡିଗ୍ରସ୍ତ ଅଂଚଳରେ ଥିବା ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ୟୁସନ ଫି ଓ ପରୀକ୍ଷା ଫି ଛାଡ କରାଯିବ । ଚାଷୀମାନେ ନେଇଥିବା ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version