Site icon Odisha.com

ଆଉ ଚାରୋଟି ଜିଲ୍ଲାରେ ଜିଏନ୍ଏମ୍ ସ୍କୁଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଲେଖାଁଏ ନୂତନ ଜିଏନ୍ଏମ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ।

ଏହାଦ୍ୱାରାରାଜ୍ୟରେ ଆବଶ୍ୟକ ପଡୁଥିବା ତାଲିମ୍ ପ୍ରାପ୍ତ ସେବିକାଙ୍କ ଆବଶ୍ୟକତା ପୂରଣ ହୋଇ ପାରିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ପୂର୍ବରୁ ରାଜ୍ୟ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ବେଳେ ପ୍ରତ୍ୟେକ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଆବଶ୍ୟକ ପଡୁଥିବା ମୋଟ୍ ୪୦ କୋଟି ଟଙ୍କା ମଧ୍ୟରୁ ୮୫ ଭାଗ କେନ୍ଦ୍ର ସରକାର ଯୋଗାଇ ଦେବେ ଓ ରାଜ୍ୟ ସରକାର ତାଙ୍କର ଅଂଶଧନ ବାବଦରେ ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ପ୍ରଦାନ କରିବେ ।

ଏଥି ସହିତ ଗତ ବର୍ଷଠାରୁ ରାଜ୍ୟରେ ନିର୍ମାଣ ଆରମ୍ଭ ହୋଇଥିବା ଗୋଟିଏ ଜିଏନ୍ଏମ୍ ଏବଂଦୁଇଟି ଏଏନ୍ଏମ୍ ସ୍କୁଲର କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତମାନ ବିଭିନ୍ନ ରୋଗର ବିବିଧତାକୁ ଦେଖି ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ୮ ଟି ରିଜିଓନାଲ ଇନଷ୍ଟିଟ୍ୟୁଟ ଅଫ୍ ପାରାମେଡିକ ସାଇନ୍ସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେଥିରୁ ଗୋଟିଏ ଓଡିଶାରେ ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି ।

୭୪ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହେବାକୁ ଥିବା ଏହି ଆଂଚଳିକ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ରାଜଧାନୀ ଉପକଣ୍ଠରେ ୫ ଏକର ଜମି ଯୋଗାଇ ଦେଇଛନ୍ତି । ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୭୫ ଭାଗ ଅର୍ଥ ଦେବାକୁ ଥିବା ବେଳେ ଅବଶିଷ୍ଟ ୨୫ ଭାଗ ଅର୍ଥ ରାଜ୍ୟ ସରକାର ବହନ କରିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version