Site icon Odisha.com

ବୋମାମାଡ଼ରେ ଦୁଇ ଆହତ, ଉତ୍ତେଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ କେତେକ ଦୁର୍ବୃତଙ୍କ ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବା ବେଳେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି ।

ବିଭିନ୍ନ ଅପରାଧରେ ଜଡ଼ିତ ଜଣେ ପୋସ୍କୋ ବିରୋଧୀ ବ୍ୟକ୍ତିଙ୍କ ଗତକାଲି ରାତିରେ ଗିରଫ ପରେ ତାଙ୍କର ସମର୍ଥକମାନେ ପୋସ୍କୋ ସମର୍ଥକଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ବାଳିକାଙ୍କ ସମେତ ଦୁଇ ଜଣ ଗଗୁରୁତର ଆହତ ହୋଇଛନ୍ତି ।

ଢିଙ୍କିଆ ଗ୍ରାମର ସଂପୃକ୍ତ ବ୍ୟକ୍ତି ଜୁଲୁ ବିଶ୍ୱାଳ ପୋସ୍କୋ ଆନ୍ଦୋଳନ ସମୟରେ ହିଂସାକାଣ୍ଡ, ଡ଼କାୟତି, ବୋମାମାଡ଼ ଭଳି ଘଟଣା ସଂପୃକ୍ତ ଥିବାରୁ ପୋଲିସ ତାକୁ ରାତିରେ ବୋସ୍କାଲିସ ପଏଣ୍ଟ ନିକଟରେ ଥିବା ଚିଙ୍ଗୁଡ଼ି ଘେରିରୁ ଗିରଫ କରିଥିଲା ।

ପୋସ୍କୋ ସପକ୍ଷବାଦୀ ମାଗୁ ସାମଲଙ୍କ ସୂଚନା ଅନୁଯାୟୀ ପୋଲିସ ବିଶ୍ୱାଳକୁ ଗିରଫ କରିଥିବା ଅନୁମାନ କରି ତାଙ୍କ ସମର୍ଥକମାନେ ସାମଲଙ୍କ ଘର ଉପରେ ବୋମାମାଡ଼ କରିଥିଲେ ।

ବୋମାମାଡ଼ରେ ଆହତ ସାମଲ ଏବଂ ତାଙ୍କ ଭଉଣୀଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ ।

ପୋସ୍କୋ ବିରୋଧୀଙ୍କ ପାଇଁ ଢିଙ୍କିଆରେ ପୋଲିସ ପ୍ରବେଶ କରୁନଥିବାରୁ ବର୍ତମାନ ଏହି ଅଞ୍ଚଳରେ ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି ବୋଲି ଲୋକମାନେ କହିଛନ୍ତି ।

ନିକଟରେ ହୋଇଥିବା ପଞ୍ଚାୟତୀ ନିର୍ବାଚନ ସମୟରେ ବାଲାଟ ବାକ୍ସ ଫିଙ୍ଗିବା ଘଟଣାରେ ସଂପୃକ୍ତ ଦଶ ଜଣ ଅପରାଧୀ ମଧ୍ୟ ଏହି ଗ୍ରାମରେ ଲୁଚି ରହିଥିବା ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version