Site icon Odisha.com

ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ୧୨ ବର୍ଷ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟରେ ବିଜୁ ଜନତା ଦଳ(ବିଜେଡି)ଏକ ଦଶନ୍ଧୀ ଧରି ଶାସନ କରିଆସିଥିବା ବେଳେ ସୋମବାର ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବାର ବର୍ଷ ପୂରଣ କରିଛନ୍ତି ।

୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ସେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣକରିଥିଲେ । ତା’ପରେ ୨୦୦୪ ଓ ୨୦୦୯ ନିର୍ବାଚନରେ ମଧ୍ୟ ସେ ପଦବୀ ଅଳଙ୍କୃତ କଲେ ।

ଗତ ବାର ବର୍ଷ ମଧ୍ୟରେ ସେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଏଡାଇଯାଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡିଆ ଭାଷା ଉପରେ ତାଙ୍କର କମ୍ ଜ୍ଞାନ ଯୋଗୁଁ ବହୁ ଲୋକ, ନେତା ଭାବେ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ଗତ ବାର ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ଦୁଇ ଟଙ୍କିଆ ଚାଉଳ, ବିଜୁ କେବିକେ, ବିଜୁ କନ୍ଧମାଳ-ଗଜପତି ଯୋଜନା, ମଧୁବାବୁ ପେନ୍ସନ ଯୋଜନା, ମୋ କୁଡ଼ିଆ, ମମତା ଭଳି ବହୁ ଜନହିତକାରୀ ଯୋଜନା ଆରମ୍ଭ କରିଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ଏହା ମଧ୍ୟରେ ରହିଛି କଳିଙ୍ଗନଗର ଗୁଳିକାଣ୍ଡ, କନ୍ଧମାଳ ଦଙ୍ଗା, ବିଜେପି ସହିତ କରିଥିବା ମେଣ୍ଟ ଭାଙ୍ଗିବା ଆଦି ଘଟଣା । ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଇ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି ।

ଏହି ବାର ବର୍ଷ ମଧ୍ୟରେ ସରକାର ଶିଳ୍ୱ ସଂସ୍ଥା ଏବଂ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ପ୍ରାୟ ଶହେଟି ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ବେଳେ ଛଅ ହଜାର ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହୋଇପାରିଛି । କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ରାଜ୍ୟବାସୀଙ୍କୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଦେବାକୁ କହୁଥିବା ନବୀନ ସରକାରଙ୍କ ନାଁରେ ଖଣି ଦୁର୍ନୀତି, ଡ଼ାଲି ଦୁର୍ନୀତି ଭଳି ମହା ଅଭିଯୋଗ ଆସିଛି । ଶାସନ କାଳରେ ନବୀନ ନିଜର ୨୭ ଜଣ ସହଯୋଗୀଙ୍କୁ ବିଦା କରିସାରିଛନ୍ତି ।

ଏହି ଶାସନ କାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ତିନୋଟି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ୁଥିବା ବେଳେ ବର୍ତମାନ ୨୦ରୁ ଉର୍ଦ୍ଧ୍ଵ ଜିଲ୍ଲାରେ ସେମାନେ କାୟାବିସ୍ତାର କରିସାରିଲେଣି ।

ଦୁର୍ନୀତି ଓ ଅଭିଯୋଗ ସରକାରଙ୍କ ପିଛା ଛାଡ଼ୁନଥିବା ବେଳେ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତିନି ତିନି ଥର ରାଜ୍ୟର ଶାସନ ଭାର ଦେଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛି ।

ଓଡିଶା ଡଟ୍ କମ୍

Exit mobile version