Site icon Odisha.com

ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୫ (ଓଡିଶା ଡଟ୍ କମ୍) ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୯୬ତମ ଜୟନ୍ତୀ ପାଳନ କରାଯାଇଛି ।

ଏହି ଅବସରରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଆୟୋଜନ କରାଯାଇଛି ।

ଭୁବନେଶ୍ୱରରେ ଏହି ମାରାଥନ୍ ଙ୍କୁ ବିଜୁ ପଟ୍ଟନାୟକ ପାର୍କରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉ୍ଘାଟନ କରିଥିଲେ । ଏଥିରେ ହଜାରରୁ ଉର୍ଦ୍ଧ୍ଵ ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ଓ ବୟସ୍କ ଲୋକଙ୍କ ସାମିଲ ହୋଇଥିଲେ । ମାରାଥନ୍ ପରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଦଳର କର୍ମୀମାନେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ କରିଛନ୍ତି । ସେହିପରି ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ତୁଳସୀପୁର ସ୍ଥିତ ଆନନ୍ଦ ଭବନରେ ବହୁ ରାଜନେତା, ସମାଜସେବୀ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସହ ବହୁ ବିଧାୟକ ଓ ରାଜନେତା ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମ୍ୟାଲାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେହିପରି ଜୟପୁର, ସମ୍ବଲପୁର, ରାଉରକେଲା ଏବଂ ଅନ୍ୟ ସହରରେ ମଧ୍ୟ ଜୟନ୍ତୀ ପାଳନ କରାଯାଇଛି ।

୧୯୧୬ ମସିହା ଆଜିରଦିନରେ ଜନ୍ମଗ୍ରହଣ କରିଥିବା ମହାନ ପୁରୁଷ ବିଜୁ ପଟ୍ଟନାୟକ ଏକାଧାରାରେ ଜଣେ ରାଜନେତା, ଶିଳ୍ପପତି ଓ ପାଇଲଟ୍ ଥିଲେ ।

ମାତ୍ର ୨୬ ବର୍ଷ ବୟସରେ ୧୯୪୨ ମସିହାରେ ସେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୧ ମସିହାରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓ ପରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ ।

ପରେ ତାଙ୍କ ନେତୃତ୍ୱରେ ଉତ୍କଳ କଂଗ୍ରେସ ଦଳ ଗଠନ କରାଯାଇଥିଲା । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ପଟ୍ଟନାୟକଙ୍କର ଆଧୁନିକ ଓଡିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

ପାରାଦ୍ଵୀପ ବନ୍ଦର ହେଉକି ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲ ନିର୍ମାଣରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା । ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ଉପାଧିରେ ଭୂଷିତ କରାଯାଇଥିଲା । ତାଙ୍କ ନାମରେ ରାଜ୍ୟରେ ବିଜୁ ଜନତା ଦଳ ଗଠନ କରାଯାଇଛି ।

ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆଗେଇ ନେବା ପାଇଁ ସେ ସର୍ବଦା ଚେଷ୍ଟା କରିଆସୁଥିଲେ ଏବଂ ଏଥିପ୍ରତି ତାଙ୍କର ବହୁତ ଅବଦାନ ରହିଛି । ତେଣୁ ତାଙ୍କ ଜୟନ୍ତୀକୁ ପ୍ରତିବର୍ଷ ରାଜ୍ୟରେ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି ।

ଓଡିଶା ଡଟ୍ କମ୍

Exit mobile version