Site icon Odisha.com

ନିରାପଦ ହୋଲି ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ସଚେତନତା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ନିରାପଦ ଭାବରେ ହୋଲି ପର୍ବ ପାଳନ ପାଇଁ ଛାତ୍ରଛାତ୍ରୀମାନେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।

ବିଭିନ୍ନ ପର୍ବପର୍ବାଣୀ ଭଳି ହୋଲି ମଧ୍ୟ ଏକ ମୁଖ୍ୟ ପର୍ବ ହୋଇଥିବାରୁ ସମସ୍ତେ ଆନନ୍ଦରେ ଏହା ପାଳନ କରିଥାନ୍ତି । ପର୍ବପର୍ବାଣୀ ଶାନ୍ତିର ପ୍ରତୀକ ହୋଇଥିବା ବେଳେ ବର୍ତମାନ ଏହା ପରିବର୍ତନ ହୋଇ ହିଂସାର ରୂପ ଧାରଣ କରିବା ସହ ପରିବେଶ ପ୍ରଦୂଷଣ କରୁଛି ।

ତେଣୁ ଶାନ୍ତି ଶୃଙ୍ଖଳାର ସହ ହୋଲି ପର୍ବ ପାଳନ ପାଇଁ କୁଜଙ୍ଗ ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ, ର୍ୟାଲି, ଗାଁରେ ସଭା ଏବଂ ହୋଲି ସମୟରେ କେମିକାଲ ସାମଗ୍ରୀ ବ୍ୟବହାର ନକରିବା ପାଇଁ ଲିଫ୍ଲେଟ୍ ବାଣ୍ଟିଛନ୍ତି ।

ପର୍ବ ପାଳନ ସମୟରେ ଲୋକମାନେ କୌଣସି ମାଦକ ଦ୍ରବ୍ୟ ସେବନ ନକରିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି । ଦୋକାନରେ କେମିକାଲ ମିଶ୍ରଣ ରଙ୍ଗ ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ନକରିବାକୁ କହିଛନ୍ତି ।

ପ୍ରଦୂଷଣ ଯୋଗୁଁ ପାରାଦ୍ଵୀପ ଏବଂ କୁଜଙ୍ଗ ଅଞ୍ଚଳର ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ତେଣୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଛୁ” ସପ୍ତମ ଶ୍ରେଣୀ ଛାତ୍ରୀ ଆର୍ଯ୍ୟକୁମାରୀ ଶୈଳେନ୍ଦ୍ରଜା କହିଛନ୍ତି ।

ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ସଚେତନତା ଦ୍ୱାରାସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିବ, ତେଣୁ ଛାତ୍ରଛାତ୍ରୀମାନେ ସାମାଜିକ ପରିବର୍ତନ ପାଇଁ ଏହି କାର୍ଯ୍ୟ କରିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷ ପ୍ରମିଳା ନନ୍ଦ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version