Site icon Odisha.com

ଶୁଣିବାକୁ ମିଳୁନି ଲୋକଗୀତ ହୋ..ହୋ..ହୁଲେରେ!

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୮(ଓଡ଼ିଶା ଡ଼ଟ୍ କମ୍) କାହିଁ କେଉଁ ଅନାଦି କାଳରୁ ଭାରତୀୟମାନେ ପାଳନ କରିଆସୁଛନ୍ତି ରଙ୍ଗ ଓ ମୈତ୍ରୀର ପର୍ବ ହୋଲି କିନ୍ତୁ ଆଉ ଶୁଣିବାକୁ ମିଳୁ ନାହିଁ ହୋ…ହୋ…ହୁଲେରେ ଲୋକ ଗୀତ ।

ତେବେ ହୋଲି ପାଳନ ଅବସରରେ ଲୋକମାନେ ପରସ୍ପରକୁ ରଙ୍ଗ ତଥା ଅବିର ଲଗାଇବା ସହ ଅଭିନନ୍ଦନ ଜଣାଇବା ପରମ୍ପରା ରହିଆସିଛି । ଆଉ ଏହି ରଙ୍ଗ ଖେଳ ସମ୍ପର୍କରେ ବହୁଗୁଡ଼ିଏ ପୌରାଣିକ କିମ୍ବଦନ୍ତୀ ମଧ୍ୟ ରହିଛି ।

ରଙ୍ଗ ଖେଳକୁ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ଏହାର କେତେକ ହିତକାରୀ ଉପାୟେତା ରହିଥିବା ଜଣାଯାଏ । ଏହି ହୋଲି ସହ ଜଡ଼ିତ ଥିବା ଆଉ ଏକ ଐତିହ୍ୟ ତଥା ପରମ୍ପରା ହେଉଛି ହୋଲିକା ଦହନ ।

ହୋଲିକା ଦହନ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ପାଳନ କରାଯାଉଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଏହାର ସ୍ୱାତନ୍ତ୍ରତା ଅନ୍ୟତମ । ତେବେ କେତେକ କାରଣ ବଶତଃ ହୋଲିକା ଦହନ ଏବେ ତାର ସ୍ୱାତନ୍ତ୍ରତା ହରାଇ ବସିବା ସହ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ।

ଦୋଳ ପୂର୍ଣ୍ଣିମାର ପୂର୍ବଦିନ ସନ୍ଧ୍ୟାରେ ସହରର ବିଭିନ୍ନ ପଡ଼ା ତଥା ସାହିରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପ୍ରାୟ ସାତଦିନ ପୂର୍ବରୁ ପଡ଼ାର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସଭିଏଁ ଘରଘର ବୁଲି ହୋଲିକା ଦହନ ପାଇଁ କାଠ, ଫଟା କୁଲା, ଝାଡ଼ୁ, ପୁରଣା ଭୁଗା, ଟୁପୁଲି, କୁଟା କାଠି ଜାଳ ଆଦି ସଂଗ୍ରହ କରିଥାନ୍ତି ।

ଘରଘର ବୁଲି କାଠ ମାଗିଲାବେଳେ ସମ୍ପୃକ୍ତ ପିଲା ତଥା ଯୁବକମାନେ ଲୋକ ପରମ୍ପରା ସହ ଜଡ଼ିତ ଲୋକଗୀତ ଗାଇ ଗାଇ ପଡ଼ା ବା ସାହିରେ ବୁଲୁଥିଲେ ।

ଲୋକଙ୍କ ମୁହଁରୁ ଶୁଣାଯାଉଥିବା ଏହି ପାରମ୍ପରୀକ ଲୋକଗୀତା ବା ଲୋକ କଥା ଗୁଡ଼ିକ ଆଉ ଶୁଣିବାକୁ ମିଳୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ହୋଲିକା ଦହନ କାର୍ଯ୍ୟକ୍ରମ ଲାଗି ସ୍ଥାନ ଓ କାଠର ଅଭାବ ।

ପ୍ରାୟ ଘରମାନଙ୍କରେ ଷ୍ଟୋଭ୍, ଗ୍ୟାସଚୁହ୍ଲା, ହିଟର ଆଦି କାଠର ସ୍ଥାନ ନେଇସାରିଥିବା ବେଳେ ଜନସଂଖ୍ୟା ବୃଦ୍ଧି କାରଣରୁ ସବୁଆଡ଼େ କଂକ୍ରିଟ ଜଙ୍ଗଲ ଖେିବାକୁ ମିଳୁଛି ।

ହୋଲିକା ଦହନ ବା ହୋଲ ପୋଡ଼ି ସହ ଜଡ଼ିତ ପୌରାଣିକ କିମ୍ବନ୍ତୀ ହେଉଛି ଭଗବାନ ବିଷ୍ଣୁଙ୍କ ଠାରୁ ଅଭିଶାପ ପାଇ ବୈକୁଣ୍ଠପୁରର ଉଭୟ ଦ୍ବାରପାଳ ଜୟ ଓ ବିଜୟ ମର୍ତ୍ୟରେ ରାକ୍ଷସ ହିରଣ୍ୟକଶ୍ୟପୁ ଓ ହିରଣାକ୍ଷ ରୂପରେ ଜନ୍ମ ଗ୍ରହଣ କରିବା ପରେ ସେମାନଙ୍କ ଅତ୍ୟାଚର ବଢ଼ିଚାଲିଲା ।

ନୃସିଂହ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହଲ୍ଲାଦ ହିରଣ୍ୟକଶ୍ୟପୁର ପୁତ୍ର ରୂପେ
ଜନ୍ମଗ୍ରହଣ କରିଥିଲେ । ପ୍ରହଲ୍ଲାଦ ସର୍ବଦା ହରିନାମ ଜପ କରିବାରୁ ରାକ୍ଷସ ରାଜ ହିରଣ୍ୟକଶ୍ୟପୁ ତାକୁ ମାରିବାକୁ ଚାହିଁଲେ ।

ହିରଣ୍ୟକଶ୍ୟପୁର ଭଉଣୀ ହେଉଛି ହୋଲିକା । ହୋଲିକା କଠୋର ତପସ୍ୟା କରି ବରପ୍ରାପ୍ତ ହୋଇଥିଲେ ଯେ, ସେ ନିଆଁରେ କେବେ ପୋଡ଼ିବେ ନାହିଁ, ମତ୍ର ସେ ଯାହାକୁ ସାଥିରେ ଧରି ଅଗ୍ନିରେ ପ୍ରବେଶ କରିବେ ସେ ଜଳିପୋଡ଼ି ପାଉଁଶ ହୋଇଯିବ ।

ତେଣୁ ହିରଣ୍ୟକଶ୍ୟପୁ ର ନେର୍ଦ୍ଦେଶରେ ହୋଲିକା ଭାତୃପୁତ୍ର ପ୍ରହଲ୍ଲାଦକୁ ମାରିବା ଉଦ୍ଦେଶ୍ୟରେ ତାଙ୍କୁ ସଙ୍ଗରେ ନେଇ ଅଗ୍ନିରେ ପ୍ରବେଶ କରିଥିଲେ । ମାତ୍ର ଏହି ସମୟରେ ଏକ ବିଚିତ୍ର ଘଟଣା ଘଟିଥିଲା । ଅଗ୍ନିର ପ୍ରକୋପ ବାଳକ ପ୍ରହଲ୍ଲାଦର ସାମନ୍ୟତମ କ୍ଷତି ଘଟାଇପାରିନଥିବା ବେଳେ ବରପ୍ରାପ୍ତ ହୋଲିକା ନିଆଁରେ ପୋଡ଼ି ଭଷ୍ମୀଭୂତ ହୋଇଯାଇଥିଲା ।

ଫଳରେ ଆସୁରିକ ଶକ୍ତିର ଏହି ବିନାଶ ଲୀଳାକୁ ଏବେ ମଧ୍ୟ ହୋଲିକା ଦହନ କରି ପାରମ୍ପରୀକ ରିତୀରେ ପାଳନ କରାଯାଉଛି । ଏହିଦିନ ଲୋକେ ଗୃହର ଆସୁରିକ ପରିବେଶ ତଥା ରୋଗବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଘରର ଜାବତୀୟ ପୁରୁଣା ସାମଗ୍ରୀ ଦେଇଥାଆନ୍ତି ।

ସେ ସବୁ ସଂଗ୍ରହ କରାଗଲା ପରେ ଗୋଟିଏ ସ୍ଥାନରେ ଜମା କରାଯାଇ ନିଶାର୍ଦ୍ଧରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ଗୁଡ଼ିରେ ଝାଙ୍କର ଦ୍ୱାରାପୂଜାର୍ଚ୍ଚନା କରାଯାଇ ହୋଲିକାରେ ଅଗ୍ନି ସଂଯୋଗ କରାଯିବା ପରେ ସହରର ଅନ୍ୟ ପଡ଼ାର ହୋଲିକା ଦହନ ହୋଇଥାଏ ।

ବିଶେଷକରି ପଡ଼ାର ଉଦ୍ଭ୍ରାନ୍ତ ଯୁବକ ମାନେ ମଧ୍ୟରାତ୍ରୀରେ ଲୋକଗୀତ ଆଳରେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା, ଘରମାନଙ୍କର କବାଟ ବାଡ଼େଇ ଗୃହକର୍ତାଙ୍କ ଠାରୁ ଚାନ୍ଦା ଆଦାୟ କରିବା, ହୋଲ ମାଗିବା ଆଳରେ ଲୋକଙ୍କ ଘର ପାଚେରୀ ଡେଇଁ କାଠ ବ୍ୟତିରକେ ମୂଲ୍ୟବାନ ସାମଗ୍ରୀ ଚୋରୀ କରିବା ଆଦି ଘଟଣା ଯୋଗୁଁ ହୋଲିକା ପୋଡ଼ି ଉତ୍ସବ ଖୁସି ଆଣିବା ପରିବର୍ତେ ଭୟ ଓ ବିଶାଦ ସୃଷ୍ଟି କରୁଛି ।

ବରଗଡ଼ରେ କେବଳ ମାରୱାଡ଼ି ସମ୍ପ୍ରଦାୟ ହୋଲିକା ଦହନ କାର୍ଯ୍ୟକ୍ରମକୁ ଦୀର୍ଘବର୍ଷ ହେବ ଆନନ୍ଦର ସହ ପାଳନ କରି ଆସୁଛନ୍ତି । ଏହି ଲୋକ ପରମ୍ପରାକୁ ବଜାୟ ରଖିବାକୁ ହେଲେ ପଡ଼ାର ମୁରବୀମାନେ ହୋଲପୋଡ଼ି ଉତ୍ସବର ନେତୃତ୍ୱ ନେବାକୁ ଆଗେଇ ଆସିବା ସହ ଉଚ୍ଛୃଙ୍ଖଳିତ ଯୁବକଙ୍କୁ ଏଥିରୁ ଦୁରେଇ ରଖାଯିବା ଉଚିତ୍ ।

ଓଡ଼ିଶା ଡ଼ଟ୍ କମ୍

Exit mobile version