Site icon Odisha.com

୧୭ ଡାକ୍ତରଙ୍କୁ ୩ବର୍ଷ ପାଇଁ ପ୍ରବେଶିକା ପରୀକ୍ଷା ମନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୦ (ଓଡିଶା ଡଟ୍ କମ୍) ମେଡିକାଲ ପି.ଜି ପ୍ରବେଶିକା ପରୀକ୍ଷାରେ କପି କରିଥିବା ୧୭ ଜଣ ଏମ୍.ବି.ବି.ଏସ୍ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ଜାନୁୟାରୀ ମାସରେ ଅନୁଷ୍ଠିତ ହୋଇଥିବା ୨୦୧୨ ପାଇଁ ମେଡିକାଲ ପି.ଜି ପ୍ରବେଶିକା ପରୀକ୍ଷାରେ ୧୭ ଜଣ ପରୀକ୍ଷାର୍ଥୀ କପି କରୁଥିବା ବେଳେ ରାଜ୍ୟସ୍ତରୀୟ ସ୍କ୍ୱାଡ୍ ହାତରେ ଧରାପଡିଥିଲେ ।

ଏ ନେଇ ରିପୋର୍ଟ ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଭଳି ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୭ ଜଣଙ୍କ ମଧ୍ୟରୁ ୬ ଜଣ ସରକାରୀ ଚାକିରୀରେ ଥାଇ ପରୀକ୍ଷା ଦେଉଥିବା ବେଳେ ୧୧ଜଣ ସିଧାସଳଖ ପରୀକ୍ଷା ଦେଉଥିଲେ ।

ସରକାରୀ ଚାକିରୀରେ ଥାଇ ପରୀକ୍ଷା ଦେଉଥିବା ୬ ଜଣ ଡାକ୍ତରଙ୍କ ବିରୁଦ୍ଧରେ ବିଭାଗୀୟ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ସହିତ ୨୦୧୩ ବର୍ଷରୁ ୩ ବର୍ଷ ପାଇଁ ସେମାନଙ୍କୁ ମେଡିକାଲ ପି.ଜି ପ୍ରବେଶିକା ପରୀକ୍ଷା ଦେବାକୁ ମନା କରାଯାଇଛି ।

ସେହିଭଳି ଅନ୍ୟ ୧୧ ଜଣ ମଧ୍ୟ ୨୦୧୩ ବର୍ଷରୁ ୩ ବର୍ଷ ପାଇଁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ ନାହିଁ । ଆହୁରିମଧ୍ୟ ଏହି ୧୭ ଜଣଙ୍କର ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ ନାହିଁ ବୋଲି କୁହାଯାଇଛି ।

ଓଡିଶା ଡଟ୍ କମ୍

Exit mobile version