Site icon Odisha.com

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗଣ ବିବାହ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଯାଜପୁର ଜିଲ୍ଲାରେ ଗଣ ବିବାହ ଅନୁଷ୍ଠିତ ହୋଇଯାଇଛି ।

ଗତ ଗୁରୁବାର ନବ ଉତ୍କଳ ମହିଳା ସମିତି ଦ୍ୱାରାଆୟୋଜିତ ଏହି ଉତ୍ସବରେ ୪୫ ଜଣ ନବ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ନିକଟସ୍ଥ ଷ୍ଟାଡ଼ିୟମରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଯାଜପୁର ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗ ଦେଇ ନବମ୍ପତି ମାନଙ୍କୁ ଆର୍ଶୀବାଦ କରିଥିଲେ ।

ନବ ବିବାହିତଙ୍କ ମଧ୍ୟରୁ ଅଧିକାଂଶ ନିକଟସ୍ଥ ଗ୍ରାମର ଓ ସେମାନେ ମଧ୍ୟବିତ୍ତ ଶ୍ରେଣୀର । ଦଶ ଜଣ ବ୍ରାହ୍ମଣ ବିବାହ ଉତ୍ସବରେ ମନ୍ତ୍ର ଉଚ୍ଚାରଣ କରିଥିଲେ । ଅନାବଶ୍ୟକ ଖର୍ଚ୍ଚ ବଂଚାଇବା ପାଇଁ ଏଭଳି ଗଣ ବିବାହର ଆୟୋଜନ କରିବା ପାଇଁ ଉତ୍ସାହିତ କରାଯିବା ଉଚିତ୍ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

“”ଯୌତୁକ ପ୍ରଥାକୁ ବନ୍ଦ କରିବା ଲକ୍ଷ୍ୟରେ ପାଇଁ ଆମେ ଏଭଳି ୪୫ ଜଣ ମ୍ପତିଙ୍କ ବିବାହର  ଆୟୋଜନ କରିଥିଲୁ । ଏହାଦ୍ୱାରାଯୌତୁକ ପ୍ରଥା ବନ୍ଦ ହୋଇପାରିବ” ମହିଳା ସମିତିର ସଂପାଦକ ଜୟନ୍ତୀ ଜେନା କହିଛନ୍ତି ।

ବରଯାତ୍ରୀମାନେ ଯାଜପୁର ରୋଡ଼ରୁ ଶୋଭାଯାତ୍ରାରେ ବାହାରି ଷ୍ଟାଡ଼ିୟମରେ ପହଂଚିଥିଲେ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମଣ୍ଡପରେ ବିବାହ ସଂପନ୍ନ ହୋଇଥିଲା ।

ଆଜିକାଲିର ଖର୍ଚ୍ଚ ବହୁଳ ବିବାହ ଉତ୍ସବର ଆୟୋଜନ କରିପାରୁ ନଥିବା ଯୁବତୀ ମାନଙ୍କ ପାଇଁ ଏହି ମହିଳା ସମିତି ପକ୍ଷରୁ ଏଭଳି ଗଣ ବିବାହର ଆୟୋଜନ କରାଯାଇଥିଲା ।

ଆମେ ନିଜେ କେବେ ମଧ୍ୟ ଏପରି ସୁନ୍ଦର ଭାବରେ ବାହାଘର ଆୟୋଜନ କରିପାରି ନଥାନ୍ତୁ ବୋଲି ଉଲ୍ଲରା ଗ୍ରାମର ନବ ବିବାହିତା ମମତା ଜେନା କହିଛନ୍ତି ।

ଭଗବାନଙ୍କ ଆର୍ଶୀବାଦରୁ ଗତ ଚାରି ମାସ ଧରି ଆମେ ଏହାର ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇ ଆସୁଥିଲୁ ଏବଂ ଏଥିପାଇଁ ସ୍ୱେଚ୍ଛାସେବୀ ମାନେ ୨୪ ଘଂଟା ଧରି ପରିଶ୍ରମ କରୁଥିଲେ ବୋଲି ଜୟନ୍ତୀ କହିଛନ୍ତି ।

ଏହି ଅବସରରେ ସ୍ଥାନୀୟ ଲୋକମାନେ ନବବିବାହିତ ଦମ୍ପତିଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିବା ବେଳେ ବିବାହ ଉତ୍ସବକୁ ଆସିଥିବା ଲୋକଙ୍କୁ ଖାଦ୍ୟପେୟ ପରିବେଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version