Site icon Odisha.com

ଜେଇଇ ଫର୍ମ ନପାଇ ଅସୁବିଧାରେ ଛାତ୍ରଛାତ୍ରୀ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୫(ଓଡ଼ିଶା ଡ଼ଟ୍ କମ୍) ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଫର୍ମ ବିକ୍ରୀର ଗୁରୁବାର ଶେଷଦିନ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାର ଚାରୋଟି ଜାତୀୟକରଣ ବ୍ୟାଙ୍କରେ ଏହି ଫର୍ମ ନମିଳିବାରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ବ୍ୟାଙ୍କ ଗୁଡ଼ିକୁ ଫର୍ମ ଯୋଗାଇ ଦି ଆଯାଇନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଏବଂ ପାରାଦୀପରୁ ଏଗୁଡ଼ିକ ଆଣିବାକୁ ଯାଉଛନ୍ତି ।

ତେବେ ବିଭିନ୍ନ ସ୍ଥାନରେ ଏହି ଫର୍ମ ଗୁଡ଼ିକର ମୂଲ୍ୟ ଭିନ୍ନ ଭିନ୍ନ ଥିବାରୁ ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଶିକ୍ଷାବିତତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କିଟ୍ ବିଶ୍ୱବିଦ୍ୟାଳୟ ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା ମାଗଣାରେ କରୁଥିବା ବେଳେ ଓଜେଇଇ ତାର ଫର୍ମ ୫୫୦ ଟଙ୍କାରେ ବିକ୍ରୀ କରୁଛି ଏବଂ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏହା ୭୫୦ ଟଙ୍କାରେ ବିକ୍ରୀ କରୁଛି ବୋଲି ସେମାନେ କହିଛନ୍ତି ।

ଭାରତୀୟ ଷ୍ଟେଟବ୍ୟାଙ୍କର ଜଗତସିଂହପୁର ଶାଖାରେ ଏହି ଫର୍ମ ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଫର୍ମ ନନେଇ ଘରକୁ ଫେରିଯାଇଛନ୍ତି ।

ଉକ୍ତ ଶାଖାକୁ ମାତ୍ର ଏକ ଶହଟି ଫର୍ମ ଦିଆଯାଇଥିଲା ଏବଂ ସେଗୁଡ଼ିକ ତିନିଦିନ ମଧ୍ୟରେ ବିକ୍ରୀ ହୋଇଯାଇଛି, ତେଣୁ ଫର୍ମ ମିଳିବାରେ ଅସୁବିଧା ହୋଇଛି ବୋଲି ବ୍ୟାଙ୍କ ମ୍ୟାନେଜର ଅଲେଖ କୁମାର ବେଉରା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version