Site icon Odisha.com

ଏନ୍ପିସିଆଇଏଲ-ନାଲ୍କୋ ପାୱାର କମ୍ପାନୀ ଗଠିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ନ୍ୟୁକ୍ଲିଆର୍ ପାୱାର୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନ୍ପିସିଆଇଏଲ୍) ନାଲ୍କୋ ସହିତ ମିଳିତ ଭାବରେ ଏନପିସିଆଇଏଲ୍-ନାଲ୍କୋ ପାୱାର କମ୍ପାନୀ ଲିମିଟେଡ଼ ନାମକ ନୂତନ ଯୌଥ କମ୍ପାନୀ ଗଠନ କରିଛି ।

ଗତ ୨ ତାରିଖରେ ଗଠନ ହୋଇଥିବା କମ୍ପାନୀର ପ୍ରଥମ ବୋର୍ଡ ବୈଠକ ଶୁକ୍ରବାର ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଗତ ବର୍ଷ ନଭେମ୍ବର ମାସରେଏନ୍ପିସିଆଇଏଲ୍ ଏବଂ ନାଲ୍କୋ ମଧ୍ୟରେ ଏକ ଦ୍ବିପକ୍ଷୀକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାପତ୍ର ଅନୁସାରେ ଯୌଥ ନାଲ୍କୋ ପକ୍ଷରୁ ୨୬ ପ୍ରତିଶତ ଅଂଶଧନ ରହିବ, ଯାହା ପରେ ୪୯ ପ୍ରତିଶତକୁ ବୃଦ୍ଧିକରାଯିବ ।

ଅବଶିଷ୍ଟ ଅଂଶଧନ ଭାରତର ଏକମାତ୍ର ଆଣବିକ ଶକ୍ତି ଉତ୍ପାଦନକାରୀ ଏନ୍ପିସିଆଇଏଲ୍ ଅଧିନରେ ରହିବ । ଏ ଦିଗରେ ପ୍ରଥମ ପଦକ୍ଷେପ ଭାବେ ଗୁଜୁରାଟ ସ୍ଥିତ ସୁରାଟ ଜିଲ୍ଲାରେ ୧୧,୫୦୦ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତ୍ୟେକ ୭୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ କାକର୍ପାର ୩ ଓ ୪ ୟୁନିଟ୍ରୁ ଉତ୍ପାଦନ ପାଇଁ ଚୟନ କରାଯାଇଛି ।

ଏହି ପ୍ରକଳ୍ପରେ ଭାରତୀୟ ଜ୍ଞାନକୌଶଳରେ ବିକଶିତ ପ୍ରେସରାଇଜଡ଼୍ ହେଭୀ ୱାଟର ରିଆକ୍ଟର (ପିଏଚ୍ଡବ୍ଲୁଆର) ବ୍ୟବହାର କରାଯିବ ।

ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଡିସେମ୍ବର ୨୦୧୫ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଯୋଜନା ରଖାଯାଇଛି ।

ଏହି ନୂତନ ଯୌଥ କମ୍ପାନୀ ପ୍ରତିଷ୍ଠା ଶକ୍ତି କ୍ଷେତ୍ରରେ ନାଲ୍କୋର ପ୍ରବେଶ ଯୋଜନା ତଥା  ପ୍ରଦୁଷଣବିହୀନ ଶକ୍ତି ଉତ୍ପାଦନ ଦିଗରେ ଏହାର ଉଦ୍ୟମର ଏକ ଅଂଶ ବୋଲି ଏହି ଅବସରରେ ନୂତନ ଭାବେ ଗଠିତ କମ୍ପାନୀ ବୋର୍ଡରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ୍. ବାଗ୍ରା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version