Site icon Odisha.com

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଠ ଜବରଦଖଲ ଉଚ୍ଛେଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ ଓ ମେଘନାଦ ପାଚେରୀ ସଂଲଗ୍ନ ଛାଉଣୀ ମଠର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି ।

ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଛାଉଣୀ ମଠର ଶ୍ରୀମନ୍ଦିର ଗୁମୁଟ ଓ ମେଘନାଦ ପାଚେରୀକୁ ଲାଗି ରହିଥିବା ଅଂଶକୁ ଭଙ୍ଗାଯାଇଛି ।

ମଠ ମହନ୍ତ ମଧ୍ୟ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରିଛନ୍ତି । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ଏଏସ୍ଆଇ ପକ୍ଷରୁ କୁହାଯାଇଛି ।

ଶ୍ରୀମନ୍ଦିରର ସିଂହଦ୍ଵାର ଓ ମେଘନାଦ ପାଚେରିର ସୁରକ୍ଷା ପାଇଁ ହାଇକୋର୍ଟ ବିଚାରପତି ପ୍ରଦୀପ ମହାନ୍ତି ଓ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମଠର ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଏହି ମାମଲାରେ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯିବା ସହ ଛାଉଣୀ ମଠ, ପ୍ରତିହାରୀ ନିଯୋଗ ଓ ବଡ଼ଛତା ମଠ ସିଂହଦ୍ଵାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ସୌଧ ଗୁଡ଼ିକୁ ଭାଙ୍ଗିଦେବା ପାଇଁ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version