Site icon Odisha.com

ସୁରକ୍ଷାକର୍ମୀ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ, ଉତ୍ତେଜନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୬(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ସ୍ଥିତ ଭାରତୀୟ ତୈଳ ନିଗମର
ବିଶୋଧନାଗାରରେ ଶୁକ୍ରବାର ଶିଳ୍ପ ସୁରକ୍ଷା ବାହୀନୀ ଯବାନ ଓ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି ।

ଫଳରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । କେତେକ ଶ୍ରମିକ
ବିଶୋଧନାଗାର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ଥିବା ଶିଳ୍ପ ସୁରକ୍ଷା ବାହୀନୀ
ଯବାନ ସେମାନଙ୍କୁ ପରିଚୟ ପତ୍ର ମାଗିଥିଲେ ।

ତେବେ ସେମାନଙ୍କୁ ପରିଚୟପତ୍ର ଦିଆଯାଇନଥିବାରୁ ତାହା ଦେଖାଇ ପାରିବେ ନାହିଁ ବୋଲି
ଶ୍ରମିକମାନେ କହିଥିଲେ । ଏହାପରେ ମଧ୍ୟ ଯବାନମାନେ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ
ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଯବାନମାନେ ଶ୍ରମିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଶ୍ରମିକମାନେ ମଧ୍ୟ ଯବାନମାନେ ରହୁଥିବା କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ଅନ୍ୟ ଶ୍ରମିକମାନେ ସେଠାରେ ପହଂଚି ତୈଳ ବିଶୋଧନାଗାରର
ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତେବେ ଆକ୍ରମଣକାରୀ ଯବାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି ।

ବର୍ତମାନ ପରିସ୍ଥିତି ଶାନ୍ତ ରହିଛି ଏବଂ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପାରାଦୀପ ଆଇଆଇସି ଅନୀଲ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version