Site icon Odisha.com

ଭୋକ ସହିନପାରି ସ୍କୁଲ ଛାତ୍ରଙ୍କ ଚୋରି, ତଦନ୍ତ ଦାବି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଏକ ଆଦିବାସୀ ଆବାସିକ ସ୍କୁଲ ତିନି ଜଣ ଛାତ୍ର ଭୋକ ସହିନପାରି ଚୋରି ଭଳି ଅପରାଧ କରିଥିବା ବେଳେ ଏହାର ତଦନ୍ତ ପାଇଁ ମାନବାଧିକାର କର୍ମୀମାନେ ଦାବି କରିଛନ୍ତି ।

ସିଦ୍ଧଳ ଗ୍ରାମରେ ଥିବା ମା’ ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ କଟକ, ଗଜପତି, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଏବଂ ରାଜ୍ୟର ଅନ୍ୟ ସ୍ଥାନର ପ୍ରାୟ ୭୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ରଛାତ୍ରୀମାନେ ଏହାର ଛାତ୍ରାବାସରେ ରହନ୍ତି । ସ୍କୁଲର ତିନି ଜଣ ଛାତ୍ର ଶୁକ୍ରବାର ରାତିରେ ଏକ ଦୋକାନର ତାଲା ଭାଙ୍ଗି ଚୋରି କରୁଥିବା ବେଳେ ଲୋକମାନେ ସେମାନଙ୍କୁ ଧରିଥିଲେ ଏବଂ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ କରିଥିଲେ ।

ପରେ ଲୋକମାନେ ପଚରା ଉଚରା କରିବା ପରେ ସେମାନେ ଉକ୍ତ ସ୍କୁଲର ଛାତ୍ରମାନେ ବୋଲି ଜଣାପଡ଼ିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀର ।

ତେବେ ଛାତ୍ରମାନେ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିନାହାନ୍ତି କିନ୍ତୁ ଚୋରି କରିବାକୁ ଉଦ୍ୟମ କରୁଥିଲେ ବୋଲି ଦୋକାନୀ ପ୍ରଭାକର ବେହେରା କହିଛନ୍ତି ।

ପରେ ଗ୍ରାମବାସୀମାନେ ସ୍ଥାନୀୟ ଗ୍ରାମରକ୍ଷୀଙ୍କୁ ଏବିଷୟରେ ଜଣାଇବା ପରେ ପୋଲିସ ସଂପୃକ୍ତ ଛାତ୍ର ମାନଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା ।

ସ୍କୁଲ କର୍ତୃପକ୍ଷ ଏମାନଙ୍କୁ ଯଥେଷ୍ଟ ପରିମାଣରେ ଖାଇବାକୁ ଦେଉନଥିବାରୁ ସେମାନେ ଦୋକାନରୁ ବିସ୍କୁଟ, ମିକ୍ସଚର ଚୋରି କରିବାକୁ ଆସିଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଛାତ୍ରଙ୍କୁ ଖାଇବାକୁ ଦିଆଯାଇନଥିବା ଅଭିଯୋଗ ମିଥ୍ୟା ଏବଂ ସେମାନେ କର୍ତୃପକ୍ଷଙ୍କ ଅଜାଣତରେ କିଭଳି ସ୍କୁଲରୁ ବାହାରକୁ ଯାଇଥିଲେ ସେସଂପର୍କରେ ତଦନ୍ତ କରୁଛୁ ବୋଲି ସ୍କୁଲର ସଂପାଦକ ଶ୍ରୀବତ୍ସ ସାମନ୍ତରାୟ କହିଛନ୍ତି ।

ଏସଂପର୍କରେ ଆମେ ଅଭିଯୋଗ ପାଇଛୁ ଏବଂ ସଂପୃକ୍ତ ଛାତ୍ର, ସ୍କୁଲ କର୍ତୃପକ୍ଷ ଏବଂ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version