Site icon Odisha.com

ବେଆଇନ୍ ନର୍ସିଂହୋମ ଉପରେ ଚଢାଉ, ତିନି ଡ଼ାକ୍ତର ଗିରଫ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ସହରର ଗୋଟିଏ ଗେଷ୍ଟ ହାଉସ ଭିତରେ ବେଆଇନ୍ ଭାବରେ ଚାଲୁଥିବା ଏକ ନର୍ସିଂ ହୋମ ଉପରେ ରବିବାର ପୋଲିସ ଚଢାଉ କରି ତିନି ଜଣ ଡ଼ାକ୍ତରଙ୍କୁ ଗିରଫ କରିଛି ।

ବାଇପାସ ଠାରେ ଗତ କିଛିମାସ ହେବ ଏଠାରେ ଆଖି ଅପରେସନ୍ କାର୍ଯ୍ୟ ରାଜ୍ୟ ବାହାରୁ ଡାକ୍ତରମାନେ ଆସି କରୁଥିଲେହେଁ କେହି ଜାଣି ପାରୁନଥିଲେ । ଚଢାଉ ପରେ ଉକ୍ତ ଗେଷ୍ଟ ହାଉସକୁ ସିଲ୍ କରିିଆଯାଇଛି ।

ଅକ୍ଷୟ ଦାସ ନାମକ ଜଣେ ଡାକ୍ତର ବାଇପାସ୍ ଠାରେ ଆଖି ଅପରେସନ୍ କରିବା ପାଇଁ ଗୋଟିଏ ଘର ଭଡା ନେଇ ରାଜ୍ୟ ବାହାରରୁ କିଛି ଡାକ୍ତରଙ୍କୁ ଆଣି ସେଠାରେ ଆଖି ଅପରେସନ୍ କରି ଜଣ ପିଛା ୫ ହଜାର ଟଙ୍କା ନେଉଥିଲେ ।

ଜଣାଶୁଣା ନିୟୁ କଳିଙ୍ଗ ଗେଷ୍ଟହାଉସରେ ଅପରେସନ୍ କାର୍ଯ୍ୟ ଲୁଚାଛପାରେ ଚାଲୁଥିଲା । କେବଳ ପୁରୁଷମାନେ ୨୪ ଘଣ୍ଟା ପାଇଁ ୫୦ଟଙ୍କା ଦେଇ ରହିପାରିବେ ବୋଲି ଏଠାରେ ସ୍ପଷ୍ଟ ଲେଖା ହୋଇଥିବାରୁ ଅପରେସନ୍ ବାବଦରେ କେହି ଜାଣିପାରୁନଥିଲେ ।

ତେବେ ସେହି ବାଇପାସ ଠାରେ ସରକାରୀ ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ର ରହି ସେଠାରେ ରୋଗୀମାନେ ମାଗଣାରେ ଅପରେସନ୍ ହେଉଥିବାବେଳେ ଏଠାରେ ରୋଗୀ ପିଛା ୫ ହଜାର ଟଙ୍କା ନିଆଯାଉଥିବାରୁ ଏହା ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଆସିଥିଲା ।

ଏସଂପର୍କରେ ଏସ୍ପିଙ୍କୁ ଖବର ଦେବାରୁ ତାଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଦଳ ଅତର୍କିତ ଭାବରେ ଗେଷ୍ଟହାଉସ ଉପରେ ଚଢାଉ କରିଥିଲେ ।

ଚଢାଉ ସମୟରେ ପୋଲିସ ନର୍ସିଂ ହୋମରେ ଥିବା ଡ଼ାକ୍ତରମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ କିନ୍ତୁ ସେମାନେ ତାହା ଦେଖାଇପାରି ନଥିଲେ ।

ଏଠାରେ ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ସିଡିଏମ୍ଓଙ୍କ ପରାମର୍ଶରେ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପରେ ପୋଲିସ ଗେଷ୍ଟହାଉସଟିକୁ ସିଲ୍ କରିଦେବା ସହ ଆବଶ୍ୟକୀୟ ଯନ୍ତ୍ରପାତି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version